ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ନିକଟ କନ୍ଦାବାହାଲସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ସୋମବାର ଅପରାହ୍ଣରେ ସଶସ୍ତ୍ର ଲୁଟ୍ ହୋଇଛି। ଗ୍ରାହକ ବେଶରେ ବ୍ୟାଙ୍କକୁ ପ୍ରବେଶ କରିଥିବା ଜଣେ ମୁଖାପିନ୍ଧା ଯୁବକ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ୩୭ ହଜାର ଟଙ୍କା ଲୁଟି ନେଇଛି। ଲୁଟ୍ ପରେ ଦୁର୍ବୃତ୍ତ ଶାନ୍ତ ଭାବେ ବ୍ୟାଙ୍କରୁ ବାହାରି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ବିଜୁ ଏକ୍ସପ୍ରେସ୍ ୱେ କଡ଼ରେ ଥିବା କିରେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କନ୍ଦାବାହାଲ ଶାଖାରେ ଅପରାହ୍ଣ ପ୍ରାୟ ୩ଟା ୧୫ରେ ଏହି ଘଟଣା ଘଟିଥିଲା। ଖବର ପାଇ ସୁନ୍ଦରଗଡ଼ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବନ୍ଧୁକ ଦେଖାଇ କ୍ୟାସିୟରଙ୍କୁ ଟଙ୍କା ଦେବାକୁ ଧମକ
ବ୍ୟାଙ୍କ କର୍ମଚାରୀଙ୍କ କହିବା ଅନୁସାରେ, ମଧ୍ୟାହ୍ନ ଭୋଜନ ପରେ କର୍ମଚାରୀମାନେ ବ୍ୟାଙ୍କକୁ ଫେରିଥିଲେ। କିଛି ସମୟ ପରେ ଜଣେ ମୁଖାପିନ୍ଧା ଯୁବକ ଗ୍ରାହକ ଭଳି ଭିତରକୁ ପଶିଥିଲା।
ହଠାତ୍ ସେ ବନ୍ଧୁକ ବାହାର କରି କ୍ୟାସିୟର ମମତା ଭୋଇଙ୍କୁ ଭୟଭୀତ କରିବା ସହ ବ୍ୟାଗ୍ ଦେଖାଇ ସେଥିରେ ଟଙ୍କା ଭରିବାକୁ କହିଥିଲା। ଭୟରେ କ୍ୟାସ୍ କାଉଣ୍ଟରରେ ଥିବା ୨.୩୭ ଲକ୍ଷ ଟଙ୍କା କ୍ୟାସିୟର ବ୍ୟାଗ୍ରେ ଭରି ଦୁର୍ବୃତ୍ତକୁ ଦେଇଥିଲେ।
ଟଙ୍କା ନେବା ପରେ ଦୁର୍ବୃତ୍ତ ବ୍ୟାଙ୍କରୁ ବାହାରି ଗ୍ରିଲ୍ ଗେଟ୍ ବନ୍ଦ କରି ସେଠାରୁ ଚାଲିଯାଇଥିଲା। ପରେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା।
ପୁଲିସର ତନାଘନା, ଦୁର୍ବୃତ୍ତର ପତ୍ତା ମିଳିନି
ଘଟଣା ପରେ ସଦର ଥାନା ଅଧିକାରୀ ସୌଦାମିନୀ ନାଗ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ କୁମାର ମହାପାତ୍ରଙ୍କ ସମେତ ପୁଲିସର ବରିଷ୍ଠ ଅଧିକାରୀମାନେ ସାଇଣ୍ଟିଫିକ୍ ଟିମ୍ ସହ ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି।
ବର୍ତ୍ତମାନ ସୁଦ୍ଧା ଲୁଟେରାର କୌଣସି ପତ୍ତା ମିଳିନଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
୨୦୨୧ରେ ମଧ୍ୟ ହୋଇଥିଲା ଲୁଟ୍
ଉଲ୍ଲେଖଯୋଗ୍ୟ, ଏହି ବ୍ୟାଙ୍କ ଶାଖାରେ ପୂର୍ବରୁ ମଧ୍ୟ ସଶସ୍ତ୍ର ଡକାୟତି ଘଟିଥିଲା। ୨୦୨୧ରେ ବ୍ୟାଙ୍କରେ ଲୁଟ୍ ଉଦ୍ୟମ ହୋଇଥିବା ବେଳେ ଘଟଣା ସମୟରେ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ନଥିବା ନେଇ ପ୍ରଶ୍ନ ଉଠିଥିଲା।
ପୂର୍ବ ଘଟଣା ସତ୍ତ୍ୱେ ବ୍ୟାଙ୍କରେ ସୁରକ୍ଷାକର୍ମୀ ମୁତୟନ ନଥିବାରୁ ଏଥର ମଧ୍ୟ ଲୁଟେରା ସହଜରେ ଲୁଟ୍ କରି ଫେରାର ହୋଇଯାଇଥିବା ନେଇ ଆଲୋଚନା ହେଉଛି।




