ଭୁବନେଶ୍ୱର: ଭାରତ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା ମଧ୍ୟରେ ବୁଧବାର ଭୁବନେଶ୍ୱରସ୍ଥିତ CSIR-ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (CSIR-IMMT) ପରିଦର୍ଶନ କରିଛି ଆମେରିକୀୟ କନସୁଲେଟ୍ ଜେନେରାଲ୍, ହାଇଦ୍ରାବାଦର ଏକ ପ୍ରତିନିଧି ଦଳ। ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ଓ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ବିଷୟ ଥିଲା।

ଗବେଷଣା କେନ୍ଦ୍ର ପରିଦର୍ଶନ

ଆମେରିକୀୟ ପ୍ରତିନିଧି ଦଳ CSIR-IMMTର ବିଭିନ୍ନ ଗବେଷଣା ଓ ପାଇଲଟ୍ ପ୍ଲାଣ୍ଟ ପରିଦର୍ଶନ କରିଥିଲା। ଏଥିରେ ମିନେରାଲ୍ ପ୍ରୋସେସିଂ ପାଇଲଟ୍ ପ୍ଲାଣ୍ଟ, PGM ପାଇଲଟ୍ ପ୍ଲାଣ୍ଟ ଏବଂ ସିବେଡ୍ ମିନେରାଲ୍ସ ପାଇଲଟ୍ ପ୍ଲାଣ୍ଟ ରହିଛି।

ଏହି ଅବସରରେ ପ୍ରତିନିଧି ଦଳ CSIR-IMMTର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଓ ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ। ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଖଣିଜର ପ୍ରକ୍ରିୟାକରଣ ଏବଂ ଦେଶୀୟ ପ୍ରଯୁକ୍ତି ବିକାଶ ନେଇ ଚାଲିଥିବା ଗବେଷଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା।

ଦେଶୀୟ କ୍ଷମତା ବଢ଼ାଇବା ଉପରେ ଗୁରୁତ୍ୱ

CSIR-IMMTର ବିଜନେସ୍ ଡେଭଲପମେଣ୍ଟ ଏବଂ ନ୍ୟାସନାଲ୍ କ୍ରିଟିକାଲ୍ ମିନେରାଲ୍ସ ମିଶନ୍‌ (NCMM) ଅଧୀନସ୍ଥ ସେଣ୍ଟର ଅଫ୍ ଏକ୍ସିଲେନ୍ସର ମୁଖ୍ୟ ଡ. କାଳୀ ସଞ୍ଜୟ ସଂସ୍ଥାର ଶିଳ୍ପ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକ ସହ ଚାଲିଥିବା ସହଯୋଗ ସମ୍ପର୍କରେ ତଥ୍ୟ ଦେଇଥିଲେ।

ବ୍ୟାଟେରୀ, ଉନ୍ନତ ପ୍ରଯୁକ୍ତି, ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପାଇଁ ଲିଥିୟମ୍, ରେୟାର ଆର୍ଥ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜର ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଭାରତ ପାଇଁ ରଣନୈତିକ ଗୁରୁତ୍ୱ ବହନ କରୁଛି। ଏହି ପରିପ୍ରେକ୍ଷୀରେ ଭାରତ-ଆମେରିକା ସହଯୋଗ ଉଭୟ ଦେଶ ପାଇଁ ଗୁରୁତ୍ୱ ବଢ଼ାଇଛି।