ବରଗଡ଼: ବରଗଡ଼ ଜିଲ୍ଲାରେ ପୁଣି ନିଶା କଫ୍ ସିରପ୍ କାରବାର ବିରୋଧରେ ପୁଲିସକୁ ବଡ଼ ସଫଳତା ମିଳିଛି। ଭାଟଲି ଥାନା ଅନ୍ତର୍ଗତ ବାଦମାଲ ଗ୍ରାମରେ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର କୋଡିନ୍ ଯୁକ୍ତ କଫ୍ ସିରପ୍ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁପ୍ତ ସୂଚନାକୁ ଆଧାର କରି ଭାଟଲି ଥାନା ପୁଲିସ ଟିମ୍ ବାଦମାଲ ଗ୍ରାମର ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ହଠାତ୍ ଚଢ଼ାଉ କରିଥିଲା। ତଲାସୀ ସମୟରେ ଘର ପଛପଟେ ନିର୍ମିତ ଏକ ଗୁପ୍ତ ଭୂତଳ କୋଠରୀ ରୁ ୮୧୩ଟି ୧୦୦ ମିଲିଲିଟର କଫ୍ ସିରପ୍ ବୋତଲ ଜବତ କରାଯାଇଛି। ଜବତ କଫ୍ ସିରପ୍ଗୁଡ଼ିକରେ କୋଡିନ୍ ଫସଫେଟ୍ ରହିଥିବାରୁ ଏହା ଏନଡିପିଏସ ଆଇନ ଅଧୀନରେ ଆସୁଥିବା ପୁଲିସ ସ୍ପଷ୍ଟ କରିଛି।
ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସାହୁ ଫରାର ହୋଇଯାଇଥିବା ବେଳେ, ତାଙ୍କ ପତ୍ନୀ ପାର୍ବତୀ ସାହୁ (୪୦)ଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି।ଘରୁ ନଗଦ ୩ ଲକ୍ଷ ୩୩ ହଜାର ୬୦୦ ଟଙ୍କା, ଗୋଟିଏ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋ (OD 17 Z 3019), ଗୋଟିଏ କଳା ରଙ୍ଗର ମହିନ୍ଦ୍ରା ଥାର୍ (OD 17 AH 3422), ୫ଟି ମୋବାଇଲ୍ ଫୋନ୍, ବ୍ୟାଙ୍କ୍ ପାସ୍ବୁକ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
ପୁଲିସ ଏହି ଘଟଣାରେ ମାମଲା ରୁଜୁ କରିବା ସହ ଫରାର ସୂର୍ଯ୍ୟକାନ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଜାରି ରଖିଛି।




