ନୂଆପଡ଼ା: ପ୍ରେମ ସମ୍ପର୍କକୁ ନେଇ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଅଘଟଣ ଘଟିଛି। ଜଣେ ୧୭ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଥିବା ୨୨ ବର୍ଷୀୟ ଯୁବକ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଘଟଣାକୁ ନେଇ ସିନାପାଲି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ଘରୁ ବାହାରି ଯାଇଥିଲେ
ସୂଚନା ଅନୁସାରେ, ସିନାପାଲି ଥାନା ଅଧୀନ ସାଲେବିହିଡ଼ି ଗାଁର ଡିଲେଶ୍ୱରୀ ସା (୧୭) ଓ ମନୋଜ ସା (୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବୁଧବାର ବିଳମ୍ବିତ ରାତିରେ ଦୁହେଁ ଘରୁ ବାହାରି ଯାଇଥିଲେ। ରାତିରେ ସେମାନେ ଏକ ଚାଷଜମି ନିକଟରେ ରହିଥିବା ଜଣାପଡ଼ିଛି।
ଗୁରୁବାର ସକାଳେ ଉଭୟ ଅସୁସ୍ଥ ହୋଇପଡ଼ିଥିବା ନେଇ ନିଜ ନିଜ ପରିବାରକୁ ଫୋନ୍ରେ ଜଣାଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ଜଣେ ମୃତ, ଅନ୍ୟଜଣ ଗୁରୁତର
ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଗୁରୁବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଡିଲେଶ୍ୱରୀଙ୍କ ମୃତ୍ୟୁ ହୋଇଥିଲା। ମନୋଜଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି।
ପୁଲିସର ତଦନ୍ତ ଜାରି
ଘଟଣାର ଖବର ପାଇ ସିନାପାଲି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରିଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇ ପଞ୍ଚନାମା କରାଯାଇଛି। ଶୁକ୍ରବାର ମୃତଦେହର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ।
ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟାନ୍ୟ ପରିସ୍ଥିତି ନେଇ ତଦନ୍ତ ଚାଲିଥିବା ସିନାପାଲି ଥାନା ଅଧିକାରୀ ମହେଶ୍ୱର ପାଣିଗ୍ରାହୀ ସୂଚନା ଦେଇଛନ୍ତି।




