ନୂଆଦିଲ୍ଲୀ: ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଇରାନ ଅଧ୍ୟକ୍ଷ ମସୁଦ ପେଜେସକିଆନ୍। ବିମାନବନ୍ଦରରେ ତାଙ୍କୁ କେନ୍ଦ୍ର ଶିପିଂ ଓ ଜଳପଥ ପ୍ରତିମନ୍ତ୍ରୀ ଶାନ୍ତନୁ ଠାକୁର ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଇରାନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ସୋସିଆଲ ମିଡିଆରେ ଲେଖିଛି ଯେ, ଭାରତ ଏବଂ ଇରାନ ମଧ୍ୟରେ ସୁଦୃଢ଼ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ରହିଛି। BRICSର ଅଂଶୀଦାର ଭାବେ ଉଭୟ ଦେଶ ସାଧାରଣ ପ୍ରଗତି ଏବଂ ସମୃଦ୍ଧି ପାଇଁ ଏକାଠି କାର୍ଯ୍ୟ କରୁଛନ୍ତି।
ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ BRICSର ସଦସ୍ୟ ଦେଶ, ଅଂଶୀଦାର ଦେଶ ଏବଂ ନିମନ୍ତ୍ରିତ ଦେଶଗୁଡ଼ିକର ବିଶ୍ୱନେତାମାନେ ଏକାଠି ହେଉଛନ୍ତି।
ଇରାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଏସମାଇଲ ବାକେଇ କହିଛନ୍ତି ଯେ, ଏହି BRICS ସମ୍ମିଳନୀ ଅବସରରେ ଭାରତ ସହ ବ୍ୟବସାୟିକ ଓ ଆର୍ଥିକ ସହଯୋଗ ବୃଦ୍ଧି ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ବିଶେଷ କରି ଉଭୟ ଦେଶ ପାଇଁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ‘ଚାବାହାର ପୋର୍ଟ’ ପ୍ରକଳ୍ପ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଚର୍ଚ୍ଚା କରାଯିବ।
ଇରାନ ଓ ଭାରତ ମଧ୍ୟରେ ପୂର୍ବରୁ ସାଂଘାଇ ସହଯୋଗ ସଂଗଠନ ମାଧ୍ୟମରେ ମଧ୍ୟ ଭଲ ସମ୍ପର୍କ ରହିଆସିଛି।
ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ଆଗାମୀ କିଛି ଦିନ ମଧ୍ୟରେ ବିଶ୍ୱର ପ୍ରମୁଖ ନେତାମାନେ ଦିଲ୍ଲୀରେ ଏକାଠି ହେବେ। ବିଶ୍ୱ କଲ୍ୟାଣ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ସମ୍ମିଳନୀରେ ଗଠନମୂଳକ ଓ ସାରଗର୍ଭକ ଆଲୋଚନା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ପୂର୍ବରୁ ବିସକେକଠାରେ ଅନୁଷ୍ଠିତ SCO ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପେଜେସକିଆନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା, ଯେଉଁଥିରେ ପଶ୍ଚିମ ଏସିଆର ସ୍ଥିତି ଓ କୂଟନୈତିକ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।




