ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଉପରେ ବିଶ୍ୱର ନଜର ରହିଛି। ବ୍ରିକ୍ସର ବଢ଼ୁଥିବା ପ୍ରଭାବ ସହ ଏହି ସମ୍ମିଳନୀରେ ଭାରତର କୂଟନୈତିକ ସନ୍ତୁଳନ ନୀତିକୁ ବିଦେଶୀ ଗଣମାଧ୍ୟମ ବିଶେଷ ଗୁରୁତ୍ୱ ଦେଇଛି।

ରୁଷିଆ, ଚୀନ୍‌, ଇରାନ୍‌ ଭଳି ଦେଶ ସହ ସମ୍ପର୍କ ମଜବୁତ ରଖିବା ସହ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ ସହ ଭାରତର ରଣନୀତିକ ଓ ଆର୍ଥିକ ସମ୍ପର୍କ ମଧ୍ୟ ଜାରି ରହିଛି। ଏହି ଦୁଇ ଦିଗକୁ ଏକାସାଙ୍ଗେ ନେଇ ଚାଲିବା ଭାରତର ବିଦେଶ ନୀତିର ପ୍ରମୁଖ ବିଶେଷତା ଭାବେ ଉଭା ହୋଇଛି।

ଚୀନ୍‌-ରୁଷିଆ ସହ ସମ୍ପର୍କ, ପଶ୍ଚିମ ସହ ଭାଗିଦାରି

ବିଦେଶୀ ମିଡିଆର ବିଶ୍ଳେଷଣରେ ଭାରତକୁ କୌଣସି ଏକ ଶକ୍ତିଗୋଷ୍ଠୀ ସହ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ନଦେଖିବାକୁ ଗୁରୁତ୍ୱ ଦିଆଯାଇଛି। ବରଂ ନିଜସ୍ୱ ସ୍ୱାର୍ଥ ଓ ରଣନୀତିକ ସ୍ୱାୟତ୍ତତା ଆଧାରରେ ଭାରତ ବିଭିନ୍ନ ଶକ୍ତିକେନ୍ଦ୍ର ସହ ସମ୍ପର୍କ ରଖୁଥିବା ଦର୍ଶାଯାଇଛି।

ଚୀନ୍‌ ସହ ସୀମା ବିବାଦ ଓ ରଣନୀତିକ ପ୍ରତିଦ୍ୱନ୍ଦ୍ୱିତା ରହିଥିଲେ ମଧ୍ୟ ବେଜିଂ ସହ ଆଲୋଚନା ଜାରି ରଖିଛି ନୂଆଦିଲ୍ଲୀ। ସେହିପରି ରୁଷିଆ ସହ ଦୀର୍ଘଦିନର ପ୍ରତିରକ୍ଷା ଓ କୂଟନୈତିକ ସମ୍ପର୍କ ମଧ୍ୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ।

ପାଶ୍ଚାତ୍ୟ ଆଧିପତ୍ୟକୁ ଚ୍ୟାଲେଞ୍ଜ ନା ନୂଆ ସନ୍ତୁଳନ?

ଚୀନ୍‌ର ଗ୍ଲୋବାଲ୍ ଟାଇମ୍ସ ବ୍ରିକ୍ସକୁ ବିଶ୍ୱରେ ବହୁଧ୍ରୁବୀୟ ବ୍ୟବସ୍ଥାକୁ ମଜବୁତ କରିବାର ଏକ ମଞ୍ଚ ଭାବେ ଦେଖାଇଛି। ଅନ୍ୟପକ୍ଷରେ ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ବ୍ରିକ୍ସର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଥିବା ମତଭେଦକୁ ଗୁରୁତ୍ୱ ଦେଇଛି।

ରଏଟର୍ସର ରିପୋର୍ଟିଂରେ ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ଇରାନ୍‌ ଓ ୟୁଏଇ ଭଳି ଭିନ୍ନ ଆଭିମୁଖ୍ୟ ଥିବା ଦେଶକୁ ଏକ ମଞ୍ଚରେ ରଖିବା ବ୍ରିକ୍ସ ପାଇଁ ବଡ଼ ପରୀକ୍ଷା ବୋଲି ଉଲ୍ଲେଖ କରାଯାଇଛି।

ଭାରତ ପାଇଁ କୂଟନୈତିକ ପରୀକ୍ଷା

ଭାରତ ପାଇଁ ବ୍ରିକ୍ସ କେବଳ ପାଶ୍ଚାତ୍ୟ ବିରୋଧୀ ମଞ୍ଚ ନୁହେଁ। ବରଂ ଗ୍ଲୋବାଲ୍ ସାଉଥ୍‌ର ସ୍ୱରକୁ ମଜବୁତ କରିବା, ବହୁପକ୍ଷୀୟ ସଂସ୍ଥାରେ ସଂସ୍କାର ଦାବି କରିବା ଏବଂ ବାଣିଜ୍ୟ, ଅର୍ଥନୀତି, ଶକ୍ତି ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ।

ସେପ୍ଟେମ୍ବର ୧୨-୧୩ରେ ଆୟୋଜିତ ଏହି ସମ୍ମିଳନୀରେ ଇରାନ୍‌ ଓ ୟୁଏଇ ମଧ୍ୟରେ ମତଭେଦ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଏବଂ ପାଶ୍ଚାତ୍ୟ ଦେଶ ସହ ବ୍ରିକ୍ସର ସମ୍ପର୍କ ଭଳି ପ୍ରସଙ୍ଗ ଭାରତର କୂଟନୈତିକ କୌଶଳର ପରୀକ୍ଷା ନେଉଛି।

ବିଦେଶୀ ମିଡିଆର ଆକଳନ ଅନୁସାରେ, ବ୍ରିକ୍ସକୁ ପାଶ୍ଚାତ୍ୟ ବିରୋଧୀ ମେଣ୍ଟରେ ପରିଣତ କରିବା ଅପେକ୍ଷା ବିଭିନ୍ନ ଶକ୍ତିକେନ୍ଦ୍ର ମଧ୍ୟରେ ସନ୍ତୁଳନ ରଖି ଭାରତ ନିଜର ରଣନୀତିକ ସ୍ୱାୟତ୍ତତା ବଜାୟ ରଖିବାକୁ ଅଧିକ ଗୁରୁତ୍ୱ ଦେଉଛି।