ଭୁବନେଶ୍ୱର: ଓଡ଼ିଶାର ୨୬ଟି PM SHRI ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କୃଷି ଓ ଏହାର ସହଯୋଗୀ କ୍ଷେତ୍ରରେ ବୃତ୍ତିଭିତ୍ତିକ ଶିକ୍ଷାକୁ ଅଧିକ ପ୍ରାୟୋଗିକ କରାଯିବ। ଏନେଇ ଓଡ଼ିଶା ସ୍କୁଲ୍‌ ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅଥରିଟି (OSEPA) ଓ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି।

ଏହି ଅବସରରେ ଭୁବନେଶ୍ୱରସ୍ଥିତ OUAT ସମ୍ମିଳନୀ କକ୍ଷରେ ‘ଡୁଆଲ୍‌ ମୋଡ୍‌ ଭୋକେସନାଲ୍‌ ଏଜୁକେସନ୍‌’ ନେଇ ଏକ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ହୋଇଥିଲା। ୨୦ଟି ଜିଲ୍ଲାର ପ୍ରଧାନଶିକ୍ଷକ, କୃଷି ବିଜ୍ଞାନ କେନ୍ଦ୍ର (KVK)ର ବୈଜ୍ଞାନିକ ଓ ଅଧିକାରୀ, SC/ST ଶିକ୍ଷା ସଂଯୋଜକ ଏବଂ ADEOମାନେ ଭର୍ଚୁଆଲ୍‌ ମାଧ୍ୟମରେ ଏଥିରେ ଯୋଗ ଦେଇଥିଲେ।

କ୍ଲାସ୍‌ରୁମ୍‌ ବାହାରେ ମିଳିବ ପ୍ରାୟୋଗିକ ଶିକ୍ଷା

OSEPAର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସଙ୍ଗୀତା ବେହେରା କହିଛନ୍ତି, ଏହି ସହଯୋଗ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ପାଠପଢ଼ା ସହ ପ୍ରାୟୋଗିକ ଶିକ୍ଷା, ଦକ୍ଷତା ବିକାଶ ଓ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ଜାଣିବାର ସୁଯୋଗ ମିଳିବ।

MoU ଅନୁସାରେ ୨୬ଟି ସ୍କୁଲକୁ OUAT ଭୁବନେଶ୍ୱର ଏବଂ ଚିହ୍ନଟ KVKଗୁଡ଼ିକ ସହ ଯୋଡ଼ାଯାଇଛି। ଛାତ୍ରଛାତ୍ରୀମାନେ OUATର ଲାବରେଟୋରି, ଫାର୍ମ ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ପ୍ରାୟୋଗିକ ଜ୍ଞାନ ହାସଲ କରିବେ।

୬ଟି କ୍ଷେତ୍ରରେ ଦକ୍ଷତା ବିକାଶ

ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୬ଟି ବୃତ୍ତିଭିତ୍ତିକ କାର୍ଯ୍ୟକ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ। ସେଗୁଡ଼ିକ ହେଲା—

  • ଆମ୍ବ ଚାଷ
  • ସୋଲାନେସିୟସ୍‌ ଫସଲ ଚାଷ
  • ଧାନ ଚାଷ
  • ପଶୁ ସ୍ୱାସ୍ଥ୍ୟ କର୍ମୀ
  • ଦୁଗ୍ଧ ଉତ୍ପାଦନ ଓ ପରିଚାଳନା
  • ସିଟ୍ରସ୍‌ ଫଳ ଚାଷ

ସ୍ଥାନୀୟ କୃଷି ସମ୍ଭାବନା, ଉପଲବ୍ଧ ସମ୍ବଳ ଓ ଜୀବିକା ସୁଯୋଗକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରଗୁଡ଼ିକ ଚୟନ କରାଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି, ଉଦ୍ୟୋଗୀ ହେବାର ସୁଯୋଗ ଓ ଭବିଷ୍ୟତ କ୍ୟାରିୟର ପାଇଁ ପ୍ରସ୍ତୁତି ମଜବୁତ ହେବ।

OUATର ଡିନ୍‌ ଏକ୍ସଟେନ୍‌ସନ୍‌ ଏଜୁକେସନ୍‌ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ସଫଳ ରୂପାୟଣ ପାଇଁ OUAT ଓ ଏହାର KVK ନେଟୱର୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ଦେଇଛନ୍ତି।