ତେହେରାନ୍: ପଶ୍ଚିମ ଏସିଆ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ରୋକିବା ପାଇଁ ଇରାନ୍, ଇରାକ୍ ଏବଂ ତୁର୍କୀ ସହମତି ପ୍ରକାଶ କରିଛନ୍ତି। ଶନିବାର ଇରାନ ବୈଦେଶିକ ମନ୍ତ୍ରୀ ସେୟଦ ଅବ୍ବାସ ଆରାଗଚି, ତୁର୍କୀ ଓ ଇରାକର ବୈଦେଶିକ ମନ୍ତ୍ରୀଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଆଞ୍ଚଳିକ ସ୍ଥିତି ନେଇ ପୃଥକ୍ ଆଲୋଚନା କରିଛନ୍ତି।

ତୁର୍କୀ ବୈଦେଶିକ ମନ୍ତ୍ରୀ ହାକାନ ଫିଦାନଙ୍କ ସହ କଥାବାର୍ତ୍ତା ବେଳେ ଉଭୟ ଦେଶ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ବଜାୟ ରଖିବା ପାଇଁ କୂଟନୈତିକ ଉଦ୍ୟମ ଜାରି ରଖିବାକୁ ଗୁରୁତ୍ୱ ଦେଇଛନ୍ତି। ସେହିପରି ଇରାକ୍ ବୈଦେଶିକ ମନ୍ତ୍ରୀ ଫୁଆଦ ହୁସେନଙ୍କ ସହ ଆଲୋଚନା ବେଳେ ଦୁଇ ଦେଶର ସୀମାନ୍ତ ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା ଉପରେ ବାଚନିକ ସହମତି ହୋଇଛି।

ଅନ୍ୟପଟେ, ହୋରମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପାଇଁ ନୂଆ ପ୍ରବେଶ ଓ ପ୍ରସ୍ଥାନ ରୁଟ୍‌ ନେଇ ଇରାନ୍ ଏବଂ ଓମାନ୍ ମଧ୍ୟରେ ଚୁକ୍ତି ହୋଇଛି।

  • ସୁରକ୍ଷିତ ରୁଟ୍‌: ଏହି ନୂଆ ନିୟମ ଅନୁଯାୟୀ, ଗଲ୍ଫ ଅଞ୍ଚଳର ପ୍ରବେଶ ପଥ ଏବଂ ପ୍ରସ୍ଥାନ ପଥର କିଛି ଅଂଶ ସମ୍ପୂର୍ଣ୍ଣ ଭାବେ ଇରାନର ଆଞ୍ଚଳିକ ଜଳସୀମା ମଧ୍ୟରେ ରହିବ।
  • ଆମେରିକାକୁ ଝଟ୍‌କା: ଆମେରିକା ଦକ୍ଷିଣ ରୁଟ୍‌ ଖୋଲା ରଖିବାକୁ ଦାବି କରୁଥିବା ବେଳେ, ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଏହି ଦକ୍ଷିଣ ରୁଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ।
  • ଆଞ୍ଚଳିକ ବୈଠକ: ସୋମବାର ମସ୍କାଟ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ବୈଠକରେ ଇରାନ୍ ଓ ଓମାନ୍ ଅନ୍ୟ ଗଲ୍ଫ ଦେଶଗୁଡ଼ିକୁ ଏହି ନୂତନ ଜଳପଥ ନିୟମ ସମ୍ପର୍କରେ ଅବଗତ କରାଇବେ।