ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଶ୍ରୟ ନେଇଥିବା ୫ଟି ଉଦ୍ଧାର ଓରାଙ୍ଗଓଟାନ୍ ଙ୍କ ସୁରକ୍ଷା, ସ୍ୱାସ୍ଥ୍ୟାବସ୍ଥା ଏବଂ ସମୁଚିତ ଯତ୍ନ ଉପରେ ନଜର ରଖିବା ପାଇଁ ଓଡ଼ିଶା ବନ ବିଭାଗ ପକ୍ଷରୁ ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଦେଶର ପ୍ରମୁଖ ବନ୍ୟପ୍ରାଣୀ ଓ ଚିକିତ୍ସା ଅନୁଷ୍ଠାନର ବିଶେଷଜ୍ଞମାନଙ୍କୁ ଏହି କମିଟିରେ ସାମିଲ କରାଯାଇଛି।

ବାଲେଶ୍ୱରରୁ ଉଦ୍ଧାର ହୋଇଥିଲେ ଓରାଙ୍ଗଓଟାନ୍

ଗତ ସେପ୍ଟେମ୍ବର ୮, ୨୦୨୬ରେ ବାଲେଶ୍ୱର ବନଖଣ୍ଡରୁ ୫ଟି ଜୀବନ୍ତ ଓରାଙ୍ଗଓଟାନ୍‌ଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ (Wild Life Protection Act, 1972)ର ନିୟମାନୁଯାୟୀ ଏହି ବିଦେଶୀ ଜୀବମାନଙ୍କର ରହିବା, ଖାଦ୍ୟପେୟ ଏବଂ ଚିକିତ୍ସା ସୁବିଧା ପାଇଁ ଏହି କମିଟି ଆବଶ୍ୟକୀୟ ପରାମର୍ଶ ଦେବ।

ଏହି ବୈଷୟିକ ପ୍ୟାନେଲରେ ଦେଶର ଶୀର୍ଷ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ସ୍ଥାନ ଦିଆଯାଇଛି। କର୍ଣ୍ଣାଟକ ସ୍ଥିତ ଶ୍ରୀ ଚାମରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନ୍‌ର ଜଣେ ଭେଟେରିନାରୀ ଅଫିସର। ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ଜଣେ ମନୋନୀତ ପ୍ରତିନିଧି। ଓୟୁଏଟି (OUAT) ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍‌ଥର ପ୍ରୋଜେକ୍ଟ କୋଅର୍ଡିନେଟର।

ନୂଆଦିଲ୍ଲୀସ୍ଥିତ ଜାତୀୟ ପ୍ରାଣୀଉଦ୍ୟାନର ଜଣେ ଭେଟେରିନାରୀ ଅଫିସର। ନନ୍ଦନକାନନ ପ୍ରାଣୀଉଦ୍ୟାନର ନିର୍ଦ୍ଦେଶକଙ୍କୁ ଏହି କମିଟିର ସଦସ୍ୟ-ଆହ୍ୱାୟକ ଭାବେ ନିଯୁକ୍ତ କରାଯାଇଛି।

ଏହି ବୈଷୟିକ କମିଟିର ପ୍ରାରମ୍ଭିକ କାର୍ଯ୍ୟକାଳ ୬ ମାସ ରହିବ ଏବଂ ଆବଶ୍ୟକତା ଅନୁଯାୟୀ ଏହାର ଅବଧି ବୃଦ୍ଧି କରାଯାଇପାରିବ। ଏହାସହ ଆବଶ୍ୟକ ପଡ଼ିଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅଭିଜ୍ଞ ବ୍ୟକ୍ତି କିମ୍ବା ସଂସ୍ଥାଗୁଡ଼ିକର ପରାମର୍ଶ ନେବା ପାଇଁ କମିଟିକୁ କ୍ଷମତା ଦିଆଯାଇଛି। ଉଦ୍ଧାର ଓରାଙ୍ଗଓଟାନ୍‌ମାନେ ଯେପରି ନୂତନ ପରିବେଶରେ ସୁସ୍ଥ ଓ ସୁରକ୍ଷିତ ରହିବେ, ତାହା ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।