ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଗସ୍ତକୁ ନେଇ ଓଡ଼ିଶା ରାଜନୀତି ଗରମାଗରମ ହୋଇଉଠିଛି। ବିରୋଧୀ ବିଜୁ ଜନତା ଦଳ ରବିବାର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରି ଏହି ଗସ୍ତକୁ ଏକ ମହଙ୍ଗା ପ୍ରଚାର ଅଭିଯାନ ବୋଲି ଆଖ୍ୟା ଦେଇଛି। ରାଜ୍ୟର ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖବରକାଗଜରେ ପୂର୍ଣ୍ଣପୃଷ୍ଠା ବିଜ୍ଞାପନ ଦିଆଯାଉଛି, କିନ୍ତୁ ପ୍ରକୃତରେ ରାଜ୍ୟରେ କାରଖାନା ସ୍ଥାପନ ଓ ନିଯୁକ୍ତି ମିଳିବ ନା କେବଳ ବିଜ୍ଞାପନରେ ସୀମିତ ରହିବ ବୋଲି ଦଳ ପ୍ରଶ୍ନ କରିଛି।

ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଡକ୍ଟର ଲେନିନ୍ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆବୁଧାବି ଓ ଦୁବାଇ ଗସ୍ତ କରି ଆଦାନୀ ଗ୍ରୁପ୍ ଏବଂ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ସହ ଚୁକ୍ତିନାମା (MoU) ସ୍ୱାକ୍ଷର କରିଛନ୍ତି।ତେବେ ଏହି ସବୁ ପ୍ରକଳ୍ପ ପୂର୍ବରୁ ‘ଉତ୍କର୍ଷ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମରେ ଘୋଷଣା ସରିଥିଲା।ସେ ପ୍ରଶ୍ନ କରିଛନ୍ତି ଯେ, ଏହି ନୂତନ ଚୁକ୍ତିରେ ନୂଆ କ’ଣ ଅଛି, ଭାରତୀୟ କମ୍ପାନୀ ସହ ଚୁକ୍ତି କରିବା ପାଇଁ ବିଦେଶ ଯିବାର ଆବଶ୍ୟକତା କ’ଣ ଥିଲା ଏବଂ ବିଜେଡିର ପ୍ରଶ୍ନ ଉପରେ ସରକାର କାହିଁକି ନୀରବ ଅଛନ୍ତି?

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତରୁ କୌଣସି ପ୍ରତ୍ୟକ୍ଷ ଫଳାଫଳ ମିଳିନଥିବା ବିଜେଡି ମନେ ପକାଇ ଦେଇଛି। ସରକାରୀ ପାଣ୍ଠିକୁ ମିଥ୍ୟା ବିଜ୍ଞାପନରେ ନଷ୍ଟ ନକରିବାକୁ ଚେତାବନୀ ଦେଇ ଲେନିନ୍ ମହାନ୍ତି ପ୍ରଶ୍ନ କରିଛନ୍ତି ଯେ, ୟୁଏଇ ଗସ୍ତରୁ ମିଳିବାକୁ ଥିବା ଲାଭ ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ସହ ସମାନ ହେବ ତ, ନା ଏହା କେବଳ ଏକ ବୁଲାବୁଲି କାର୍ଯ୍ୟକ୍ରମ ହୋଇ ରହିଯିବ?

ବିଜେପି ସରକାର ଆସିବା ପରଠାରୁ ୨୦ ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି ବୋଲି ଦାବି କରୁଥିବା ବେଳେ, ବାସ୍ତବରେ ଜମିପୃଷ୍ଠରେ ନିବେଶ ଶୂନ ବୋଲି ବିଜେଡି ଅଭିଯୋଗ କରିଛି। କେବଳ ୩ ଲକ୍ଷ କୋଟି ଟଙ୍କାର ଆଗ୍ରହ ପତ୍ର ଆସିଛି ଏବଂ ମାତ୍ର ୫୦ଟି କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଫଳରେ ଦାବି ଅନୁଯାୟୀ ନିଯୁକ୍ତି ସୃଷ୍ଟି ହୋଇପାରିନାହିଁ ଏବଂ ରାଜ୍ୟର ବେକାରୀ ଯୁବକମାନେ ଦାଦନ ଶ୍ରମିକ ଭାବେ ବାହାରକୁ ଯାଉଛନ୍ତି।

ଅପରପକ୍ଷରେ, ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ତିନି ଦିନିଆ ୟୁଏଇ ଗସ୍ତରେ ୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି, ଯେଉଁଥିରେ ୮ଟି ଏମଓୟୁ ଓ ୧୬ଟି ନିବେଶ ଆଗ୍ରହ ପତ୍ର ସାମିଲ ରହିଛି। ଏହାଦ୍ୱାରା ୬.୧୮ ଲକ୍ଷ ପ୍ରତ୍ୟକ୍ଷ ଓ ମୋଟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ପ୍ରାୟ ୩.୨୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଭୂମିପୂଜନ ସରିସାରିଛି।

ବିଜେଡି କହିଛି ଯେ ‘ଡବଲ ଇଞ୍ଜିନ୍’ ସରକାର କେବଳ ଘୋଷଣା ନକରି ପ୍ରକଳ୍ପୱାରୀ ସମ୍ପୂର୍ଣ୍ଣ ତଥ୍ୟ ସାଧାରଣରେ ପ୍ରକାଶ କରନ୍ତୁ।ବିଦେଶୀ ବିଳାସପୂର୍ଣ୍ଣ ହୋଟେଲରେ ସ୍ୱାକ୍ଷରିତ ଚୁକ୍ତିନାମାଗୁଡ଼ିକ କେତେ ଶୀଘ୍ର ବାସ୍ତବ କାରଖାନା ଓ ନିଯୁକ୍ତିରେ ପରିଣତ ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।