ଇସଲାମାବାଦ: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୋଚିସ୍ତାନ ପ୍ରଦେଶର ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟି ୪ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ହରନାଇ ଜିଲ୍ଲାରେ ଥିବା ଏକ କୋଇଲା ଖଣି ଭିତରେ ଗ୍ୟାସ୍ ଜମା ହୋଇ ରହିବା ଯୋଗୁଁ ରବିବାର ଏହି ଦୁର୍ଘଟଣା ଘଟିଛି।

ଖବର ପାଇବା ପରେ ପାକିସ୍ତାନ ସେନାର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ଖଣି ଭିତରୁ ୪ ଜଣ ମୃତ ଶ୍ରମିକଙ୍କ ଶବ ଉଦ୍ଧାର କରିବା ସହ ୫ ଜଣ ଆହତ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଆହତ ଶ୍ରମିକମାନଙ୍କୁ ଅଧିକ ଚିକିତ୍ସା ପାଇଁ ପ୍ରଦେଶର ରାଜଧାନୀ କ୍ୱେଟାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ବାଲୋଚିସ୍ତାନର କୋଇଲା ଖଣିଗୁଡ଼ିକରେ ଏଭଳି ଦୁର୍ଘଟଣା ନିୟମିତ ଘଟୁଛି। ଏହା ପୂର୍ବରୁ ଅଗଷ୍ଟ ମାସରେ ଦୁକି ଜିଲ୍ଲାର ଏକ କୋଇଲା ଖଣିରେ କାମ କରୁଥିବା ସମୟରେ ବିଷାକ୍ତ ମିଥେନ୍ ଗ୍ୟାସ୍ ଶ୍ୱାସକ୍ରିୟାରେ ପ୍ରବେଶ କରିବାରୁ ୨ ଜଣ ଆଫଗାନ ନାଗରିକଙ୍କ ସମେତ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଖଣି ଭିତରେ ମିଥେନ୍ ଗ୍ୟାସ୍ ଜମା ହୋଇଯିବାରୁ ଶ୍ରମିକମାନେ ଅଚେତ ହୋଇପଡ଼ିଥିଲେ। ପରେ ଖଣି ଓ ଖଣିଜ ବିଭାଗର ଅଧିକାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା।

ସେହିପରି ଗତ ଜୁଲାଇ ମାସରେ ବାଲୋଚିସ୍ତାନର ସୋରଙ୍ଗ୍ ଅଞ୍ଚଳରେ ଥିବା ଏକ କୋଇଲା ଖଣିରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ଘଟି ମୋଟ ୩୪ ଜଣ ଶ୍ରମିକ ପ୍ରାଣ ହରାଇଥିଲେ। ଗ୍ୟାସ୍ ଜମା ହେବା ଯୋଗୁଁ ବିସ୍ଫୋରଣ ଘଟି ଖଣିର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ଶ୍ରମିକମାନେ ଖଣି ଭିତରେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ସମୟରେ ଖଣି ମଧ୍ୟରେ ୪୧ ଜଣ ଶ୍ରମିକ କାର୍ଯ୍ୟରତ ଥିଲେ।

ବାଲୋଚିସ୍ତାନର କୋଇଲା ଖଣିଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାର ଅଭାବ ଓ ଅବହେଳା ଯୋଗୁଁ ବାରମ୍ବାର ଏଭଳି ବିଷାକ୍ତ ଗ୍ୟାସ୍ ବିସ୍ଫୋରଣ ଘଟି ଅନେକ ଶ୍ରମିକଙ୍କ ଜୀବନ ଯାଉଛି।