ଲଣ୍ଡନ: ସନାତନ ପରମ୍ପରାରେ ଭାରତର ପବିତ୍ର ଗଙ୍ଗା ନଦୀ କୂଳରେ ହେଉଥିବା ବିଶ୍ୱପ୍ରସିଦ୍ଧ ଆରତୀ ଏବେ ସାତ ସମୁଦ୍ର ପାର ହୋଇ ଲଣ୍ଡନରେ ପହଞ୍ଚିଛି। ରବିବାର ଲଣ୍ଡନର ଟେମ୍ସ ନଦୀ କୂଳରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ସଙ୍ଗମ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ଟେମ୍ସ ନଦୀ କୂଳରେ ଆୟୋଜିତ ହୋଇଥିବା ଗଙ୍ଗା ଆରତୀକୁ ନେଇ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଓ ସ୍ଥାନୀୟ ଲୋକେ ଏହି ବିଶେଷ ଆରତୀରେ ଅଂଶଗ୍ରହଣ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ‘ଚିନ୍ମୟ ମିଶନ ୟୁକେ’ ଦ୍ୱାରା ବାର୍ଷିକ ‘ଟୋଟାଲି ଟେମ୍ସ’ ମହୋତ୍ସବର ସହଯୋଗରେ ‘ଟେମ୍ସରେ ଗଙ୍ଗା ଆରତୀ: ଆଲୋକର ଏକ ସମାରୋହ’ ଆୟୋଜନ କରାଯାଇଥିଲା। ସଙ୍ଗଠନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବିଶ୍ୱସ୍ତରୀୟ ଉତ୍ସବର ଆୟୋଜନ କରାଯାଇଥିଲା। ପ୍ରକୃତି, ଜ୍ଞାନ ଏବଂ ଚେତନାର ଜୀବନଦାୟକ ପ୍ରବାହର ପ୍ରତୀକ ଭାବରେ ଏହି କାର୍ଯ୍ୟକ୍ରମକୁ ପରିକଳ୍ପନା କରାଯାଇଥିଲା, ଯେଉଁଥିରେ ଲୋକମାନେ ପ୍ରକୃତି ଓ ଜୀବନ ପ୍ରତି କୃତଜ୍ଞତା ଜଣାଇ ଦୀପ ଦାନ କରିଥିଲେ।

ଚିନ୍ମୟ ମିଶନ ୟୁକେର ଆବାସିକ ଶିକ୍ଷୟିତ୍ରୀ ବ୍ରହ୍ମଚାରିଣୀ ଶ୍ରୀପ୍ରିୟା ଚୈତନ୍ୟ କହିଛନ୍ତି ଯେ, ପିଢ଼ି ପିଢ଼ି ଧରି ଭାରତରେ ଗଙ୍ଗା କୂଳରେ ଏକାଠି ହୋଇ ଲୋକେ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶ କରିଆସୁଛନ୍ତି। ଟେମ୍ସ ନଦୀରେ ଆୟୋଜିତ ଏହି ଆରତୀ ସମାନ ଆଧ୍ୟାତ୍ମିକ ଭାବନାକୁ ପ୍ରତିଫଳିତ କରିଛି। ଗଙ୍ଗା ଆରତୀର ମୂଳ ବାର୍ତ୍ତା ଆମକୁ ମନେ ପକାଇ ଦିଏ ଯେ ପ୍ରକୃତି ପ୍ରତି କୃତଜ୍ଞତା କେବଳ ପ୍ରାର୍ଥନା ମାଧ୍ୟମରେ ନୁହେଁ, ବରଂ ପରିବେଶର ସୁରକ୍ଷା ଓ ଯତ୍ନ ମାଧ୍ୟମରେ ପ୍ରକାଶ କରାଯିବା ଉଚିତ୍।

ସୂଚନାଯୋଗ୍ୟ ଯେ, ୧୯୫୧ ମସିହାରେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଚିନ୍ମୟ ମିଶନ’ ଆଧ୍ୟାତ୍ମିକ ଜାଗରଣ ଏବଂ ବେଦାନ୍ତର ଅନନ୍ତ ଜ୍ଞାନ ପ୍ରଚାର ପାଇଁ କାର୍ଯ୍ୟ କରୁଛି। ବର୍ତ୍ତମାନ ସାରା ବିଶ୍ୱରେ ଏହି ମିଶନର ୩୫୦ରୁ ଅଧିକ କେନ୍ଦ୍ର ରହିଛି। ଲଣ୍ଡନରେ ଆୟୋଜିତ ଏହି ସମାରୋହ ସନାତନ ଧର୍ମର ମହନତାକୁ ବିଶ୍ୱ ଦରବାରରେ ଆଉ ଗୋଟିଏ ପାହାଚ ଉପରକୁ ନେଇଯାଇଛି।