କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଚରମ ଅବ୍ୟବସ୍ଥା ଓ ଭିତ୍ତିଭୂମିର ଅଭାବକୁ ନେଇ ଆନ୍ଦୋଳନ ପ୍ରକୋପିତ ହୋଇଛି। କ୍ୟାମ୍ପସରେ ଆବଶ୍ୟକ ସୁବିଧା ସୁଯୋଗର ଅଭାବ ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ହୋଷ୍ଟେଲ ସୁବିଧାଠାରୁ ଆରମ୍ଭ କରି ପ୍ରାକ୍ଟିକାଲ ଲାବୋରେଟୋରୀ, ସ୍ୱାସ୍ଥ୍ୟ ସେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ କର୍ତ୍ତୃପକ୍ଷଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଦ୍ୱିତୀୟ କ୍ୟାମ୍ପସରେ ହୋଷ୍ଟେଲ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ସେଠାରେ କୌଣସି ପ୍ରଫେସର, ଲେକ୍ଚରର କିମ୍ବା ୱାର୍ଡେନ୍ ରହୁନାହାନ୍ତି। ଶ୍ରେଣୀଗୃହଗୁଡ଼ିକରେ ଲଗାଯାଇଥିବା ସ୍ମାର୍ଟ ବୋର୍ଡଗୁଡ଼ିକ ଅଚଳ ହୋଇପଡ଼ିଛି। ଏହାସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ଆବଶ୍ୟକ ମେଡିକାଲ ସୁବିଧା ଏବଂ ବିଶ୍ୱବିଦ୍ୟାଳୟ ବସ୍ ସେବା ମଧ୍ୟ ଉପଲବ୍ଧ ନାହିଁ, ଯାହା ଫଳରେ ସେମାନଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

କ୍ୟାମ୍ପସ-୨ରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ଲାବୋରେଟୋରୀ ନାହିଁ। ପ୍ରାକ୍ଟିକାଲ କ୍ଲାସ୍ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ମୁଖ୍ୟ କ୍ୟାମ୍ପସ (ପ୍ରଥମ କ୍ୟାମ୍ପସ)କୁ ଯିବାକୁ ପଡ଼ୁଛି। ଏହା ବ୍ୟତୀତ କ୍ୟାମ୍ପସ ପରିସରରେ ଲତା ଓ ଝାଡ଼ଜଙ୍ଗଲ ବୃଦ୍ଧି ପାଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି।

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଏହିସବୁ ସମସ୍ୟା ନେଇ ସେମାନେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ସେମାନେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି। ଅପରପକ୍ଷରେ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି (VC) କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମିଳିଛି ଏବଂ ଶୀଘ୍ର ଦ୍ୱିତୀୟ କ୍ୟାମ୍ପସ ପରିଦର୍ଶନ କରାଯାଇ ସମସ୍ତ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।