ୱାଶିଂଟନ: କାନାଡ଼ା-ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ବିବାଦ ଏବେ ଆମେରିକୀୟ ଶ୍ରମିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କାନାଡ଼ାର ପ୍ରମୁଖ ବିମାନ ନିର୍ମାତା କମ୍ପାନୀ ‘ବମ୍ବାର୍ଡିଅର’ ର ବିମାନଗୁଡ଼ିକୁ ଆମେରିକାରେ ବ୍ୟାନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବା ପରେ ଏଥିରେ କାର୍ଯ୍ୟରତ ହଜାର ହଜାର ଆମେରିକୀୟ କର୍ମଚାରୀ ନିଜ ଚାକିରିକୁ ନେଇ ଆଶଙ୍କାପ୍ରକାଶ କରିଛନ୍ତି।

‘ୱାଶିଂଟନ ପୋଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ, କାନସାସର ୱିଚିଟା ସହରରେ ଅବସ୍ଥିତ ବମ୍ବାର୍ଡିଅର ପ୍ଲାଣ୍ଟରେ କାର୍ଯ୍ୟରତ ପ୍ରାୟ ୧,୫୦୦ କର୍ମଚାରୀଙ୍କ ମଧ୍ୟରେ ଏବେ ଗଭୀର ଅସନ୍ତୋଷ ଓ ଭୟ ସୃଷ୍ଟି ହୋଇଛି। କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି, “ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଏଠାରେ ହଜାର ହଜାର ଆମେରିକୀୟ କାମ କରୁଛନ୍ତି, ଏବଂ ମୁଁ ମୋ ଚାକିରି ହରାଇବା ବିଷୟରେ ଆଦୌ ଭାବିବାକୁ ଚାହେଁନାହିଁ।”

ଗତ ସପ୍ତାହରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ ଏହି ଚେତାବନୀ ଦେଇଥିଲେ। ବମ୍ବାର୍ଡିଅରର ଉତ୍ପାଦଗୁଡ଼ିକ ଉଚ୍ଚମାନର ନୁହେଁ ବୋଲି ଦର୍ଶାଇ ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ଆମେରିକାକୁ ସ୍ଥାନାନ୍ତର କରିବାକୁ ସେ ଦାବି କରିଛନ୍ତି। “ଯଦି ସେମାନେ ଆମ ବଜାର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଏଠାରେ ବିମାନ ତିଆରି କରିବାକୁ ପଡ଼ିବ। ଆମେରିକାକୁ ପିଗିବ୍ୟାଙ୍କ ଭାବେ ବ୍ୟବହାର କରିବା ବନ୍ଦ କରନ୍ତୁ,” ବୋଲି ଟ୍ରମ୍ପ ଲେଖିଥିଲେ। ତେବେ ଏହି ବ୍ୟାନ କିପରି ଲାଗୁ ହେବ କିମ୍ବା କେଉଁ କାର୍ଯ୍ୟକଳାପ ସ୍ଥାନାନ୍ତର ହେବ, ସେ ନେଇ ହ୍ୱାଇଟ ହାଉସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

କାନାଡ଼ାରେ ଏହି ବିଜନେସ୍ ଜେଟ୍‌ଗୁଡ଼ିକର ଅନ୍ତିମ ଆସେମ୍ବଲି ହେଉଥିଲେ ମଧ୍ୟ ଆମେରିକାରେ କମ୍ପାନୀର ବ୍ୟାପକ ଉପସ୍ଥିତି ରହିଛି। ଟେକ୍ସାସ, ଆରିଜୋନା, ଫ୍ଲୋରିଡା, କାଲିଫୋର୍ଣ୍ଣିଆ ଓ କନେକ୍ଟିକଟ୍‌ ଭଳି ରାଜ୍ୟଗୁଡ଼ିକରେ କମ୍ପାନୀର ସର୍ଭିସ ସେଣ୍ଟର ଓ ପାର୍ଟସ ନିର୍ମାଣ ୟୁନିଟ୍ ରହିଛି, ଯେଉଁଥିରେ ଆହୁରି ୨,୦୦୦ରୁ ଅଧିକ ଆମେରିକୀୟ କାର୍ଯ୍ୟ କରୁଛନ୍ତି।

ଏହି ବିବାଦ ପରେ କାନସାସର ରିପବ୍ଲିକାନ ନେତାମାନେ ମଧ୍ୟ ନିଜର ଚିନ୍ତା ପ୍ରକାଶ କରିଛନ୍ତି। ସେଡଗ୍ୱିକ୍ କାଉଣ୍ଟି କମିଶନର ଜିମ୍ ହୋୱେଲ୍ ଚେତାବନୀ ଦେଇଛନ୍ତି ଯେ ଏହି ବ୍ୟାନ ବମ୍ବାର୍ଡିଅର ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବ। ସେହିପରି କାନସାସର ସେନେଟର ରୋଜର ମାର୍ଶାଲ ହ୍ୱାଇଟ ହାଉସ ସହ ଯୋଗାଯୋଗ କରି ୱିଚିଟାରେ କର୍ମଚାରୀ ସଂଖ୍ୟା ୩,୦୦୦କୁ ବୃଦ୍ଧି କରିବାକୁ କମ୍ପାନୀକୁ ପରାମର୍ଶ ଦେଇଛନ୍ତି।