ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ପାଇଁ ଉଠୁଛି ପଡ଼ୁଛି ପୂରା ପଶ୍ଚିମ ଓଡ଼ିଶା। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ପ୍ରଥମେ ନବାନ୍ନ (ନୂଆ ଧାନରୁ ପ୍ରସ୍ତୁତ ଭୋଗ) ଲାଗି କରାଯାଇଛି। ଏହାପରେ ପଶ୍ଚିମ ଓଡ଼ିଶାର ଘରେ ଘରେ ଲୋକେ ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ କରି ନିଜ ପରିବାର ସହ ନୂଆ ଖାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା:
ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, “ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଆମର ମାଟି, ସଂସ୍କୃତି, ଚାଲିଚଳନ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ। ଏହା ପଶ୍ଚିମ ଓଡ଼ିଶାର କୃଷି, ପରମ୍ପରା, ଭାଇଚାରା ଓ ଆତ୍ମୀୟତାର ପ୍ରତୀକ।” ନୂଆ ଫସଲ ଅମଳ ପରେ ଚାଷୀ ଭାଇଙ୍କ ଜୀବନରେ ଆସୁଥିବା ଏହି ଆନନ୍ଦର ପର୍ବ ସମସ୍ତଙ୍କ ସମୃଦ୍ଧିର କାରଣ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି।
‘ନୂଆଁଖାଇ ଜୁହାର’ ଓ ଭାଇଚାରାର ପରମ୍ପରା:
ନୂଆଁଖାଇର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ‘ନୂଆଁଖାଇ ଜୁହାର’। ନବାନ୍ନ ଗ୍ରହଣ କରିସାରିବା ପରେ ପରିବାର ଓ ସମାଜର ସାନମାନେ ବରିଷ୍ଠମାନଙ୍କୁ ପାଦ ଛୁଇଁ ପ୍ରଣାମ କରନ୍ତି ଏବଂ ବରିଷ୍ଠମାନେ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି। ସମବୟସ୍କମାନେ ପରସ୍ପରକୁ କୋଳାକୋଳି ହୋଇ ସୁସମ୍ପର୍କ ଓ ଭାଇଚାରାର ବାର୍ତ୍ତା ବାଣ୍ଟନ୍ତି। ଦୂରଦୂରାନ୍ତରେ ରହୁଥିବା ପରିବାରର ସଦସ୍ୟମାନେ ଏହି ଦିନ ନିଜ ଭିଟାମାଟିକୁ ଫେରି ଏକାଠି ହୋଇ ପର୍ବ ପାଳନ କରିଥାନ୍ତି।
ମା’ ସମଲେଶ୍ୱରୀଙ୍କ ପୀଠ ବ୍ୟତୀତ ବଲାଙ୍ଗୀରର ମା’ ପାଟଣେଶ୍ୱରୀ, ସୋନପୁରର ମା’ ସୁରେଶ୍ୱରୀ, କଳାହାଣ୍ଡିର ମା’ ମାଣିକେଶ୍ୱରୀଙ୍କ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନବାନ୍ନ ଅର୍ପଣ କରାଯାଇଛି। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ।




