ସମ୍ବଲପୁର: ନୂଆ ଧାନ, ନୂଆ ଆଶା ଓ ନୂଆ ଉତ୍ସାହକୁ ନେଇ ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ଧୁମ୍ଧାମ୍ରେ ପାଳିତ ହେଉଛି କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’। ଗାଁଠୁ ସହର ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ଓ ଆନନ୍ଦମୟ ପରିବେଶ। ସ୍ଥିରୀକୃତ ଶୁଭଲଗ୍ନ ଅନୁଯାୟୀ ସକାଳ ୯ଟା ୪୦ରୁ ୯ଟା ୫୪ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ ‘ନବାନ୍ନ’ ସମର୍ପଣ କରାଯାଇଛି।
ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି:
ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବା ପରେ ମା’ଙ୍କ ସ୍ୱତନ୍ତ୍ର ଆଳତି ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନିଜ ନିଜର ଇଷ୍ଟଦେବୀ ଓ ଦେବତାଙ୍କ ନିକଟରେ ନବାନ୍ନ ସମର୍ପଣ କରାଯାଇଛି। ପୂଜା ନୀତି ସମ୍ପନ୍ନ ହେବା ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଭକ୍ତିର ସହ ଏହି ପ୍ରସାଦ ଗ୍ରହଣ କରିଛନ୍ତି।
ପାରମ୍ପାରିକ ପିଠାପଣା ଓ ଜୁହାର ଭେଟ:
ଆଜି ନୂଆଁଖାଇ ଅବସରରେ ଘରେ ଘରେ ପାରମ୍ପାରିକ ପିଠାପଣା ଏବଂ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି। ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୋଇଛି ପାରମ୍ପାରିକ ‘ନୂଆଁଖାଇ ଜୁହାର’ ଓ ସାଂସ୍କୃତିକ ଆଦାନପ୍ରଦାନ। ପରିବାର ଓ ସମାଜର ସାନମାନେ ବରିଷ୍ଠଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ବେଳେ ସମବୟସ୍କମାନେ ପରସ୍ପରକୁ କୋଳାକୋଳି ହୋଇ ସୁସମ୍ପର୍କର ବାର୍ତ୍ତା ବାଣ୍ଟୁଛନ୍ତି।
ନୂଆଁଖାଇ କେବଳ ଏକ ପାରମ୍ପାରିକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର କୃଷି, ସଂସ୍କୃତି, ଭାଇଚାରା ଓ ସାମାଜିକ ଏକତାର ଏକ ଅନନ୍ୟ ପ୍ରତୀକ। ନୂଆ ଫସଲ ଅମଳ ପରେ ଚାଷୀଙ୍କ ଜୀବନରେ ଆସୁଥିବା ଏହି ଆନନ୍ଦର ମୁହୂର୍ତ୍ତ ସମଗ୍ର ଅଞ୍ଚଳକୁ ଏକସୂତ୍ରରେ ବାନ୍ଧି ରଖିଥାଏ।
ମା’ ସମଲେଶ୍ୱରୀଙ୍କ ପୀଠ ସମେତ ବଲାଙ୍ଗୀରର ମା’ ପାଟଣେଶ୍ୱରୀ, ସୋନପୁରର ମା’ ସୁରେଶ୍ୱରୀ ଏବଂ କଳାହାଣ୍ଡିର ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ବିଶେଷ ନୀତିକାନ୍ତି ସହ ନବାନ୍ନ ଲାଗି କରାଯାଇଛି।




