ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ପୁଣି ଡରାଇଲାଣି ବାତ୍ୟା ସମ୍ଭାବନା। ଦେଶର ବିଭିନ୍ନ ପାଣିପାଗ ପୂର୍ବାନୁମାନ ମଡେଲ୍ ଏବଂ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡ଼ିକ ଆସନ୍ତା ଦ୍ୱିତୀୟାର୍ଦ୍ଧରେ ସମୁଦ୍ରରେ ଏକ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ନେଇ ଆକଳନ କରୁଛନ୍ତି। ଆମେରିକାର GFS, ୟୁରୋପର ECMWF, AI ତଥା ଭାରତୀୟ ପାଣିପାଗ ବିଭାଗ (IMD)ର ବିସ୍ତାରିତ ଆକଳନ ଏହି ଆଶଙ୍କାକୁ ବଢ଼ାଇ ଦେଇଛି।
ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ:
ଆମେରିକୀୟ GFS ମଡେଲର ଆକଳନ ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୮ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଚାଇନା ସାଗରରୁ ଏକ ଘୂର୍ଣ୍ଣିବଳୟର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିବ। ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହା ପୂର୍ବ ଉପକୂଳ ଆଡ଼କୁ ମୁହାଁଇ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରଭାବିତ କରିପାରେ ବୋଲି ଦର୍ଶାଯାଇଛି।
ସେହିପରି IMDର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି।
କାହିଁକି ବଢ଼ୁଛି ବାତ୍ୟାର ସମ୍ଭାବନା?
ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନର ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ସ୍ଥିତି ବାତ୍ୟା ସୃଷ୍ଟି ପାଇଁ ଅତ୍ୟନ୍ତ ଅନୁକୂଳ ରହିଛି:
- ମୌସୁମୀ ନିଷ୍କ୍ରିୟତା: ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ରହିଛି ଏବଂ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଅପସାରଣ ପାଇଁ ପରିବେଶ ପ୍ରସ୍ତୁତ ହେଉଛି।
- ବର୍ଷାର ଅଭାବ: ଗତ ୧୫ ଦିନ ହେବ ପଶ୍ଚିମ ରାଜସ୍ଥାନ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଦୌ ବର୍ଷା ହୋଇନାହିଁ।
- ଉତ୍ତପ୍ତ ସମୁଦ୍ର: ସମୁଦ୍ର ପୃଷ୍ଠର ତାପମାତ୍ରା ଯଥେଷ୍ଟ ଅଧିକ ରହିଛି, ଯାହା ସାମୁଦ୍ରିକ ଝଡ଼କୁ ଶକ୍ତି ଯୋଗାଇଥାଏ।
- ସୀମିତ ୱିଣ୍ଡ୍ ସିଅର: ବାୟୁମଣ୍ଡଳର ଉପର ଓ ତଳ ଭାଗରେ ବାୟୁ ଚଳାଚଳର ତାରତମ୍ୟ କମ୍ ରହିଛି, ଯାହା ଲଘୁଚାପକୁ କ୍ଷିପ୍ର ଗତିରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାରେ ସହାୟକ ହେଉଛି।
ତେବେ ଏହା କେତେ ଘନୀଭୂତ ହେବ ଏବଂ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ।




