ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏହି ସୂଚନା ଦେଇଛନ୍ତି।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ଦଳ ପକ୍ଷରୁ ଏକ ପ୍ରସ୍ତାବ ପଠାଯାଇଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ଛାତ୍ର କୀ ଗୁଞ୍ଜ’ କାର୍ଯ୍ୟକ୍ରମରେ ସେ ଯୋଗଦେବାର ବହୁ ସମ୍ଭାବନା ରହିଛି। ଏହି ବିଶାଳ ଯୁବ ସମାବେଶରେ ପ୍ରାୟ ୨୦ ହଜାର ଯୁବକ ଓ ଛାତ୍ର ଯୋଗଦେବେ। ଏହି କାର୍ଯ୍ୟକ୍ରମ ବିଶେଷ ଭାବରେ ‘ଜେନ୍-ଜି’ (Gen-Z) ବା ସାମ୍ପ୍ରତିକ ଯୁବପିଢ଼ିଙ୍କ ବିଭିନ୍ନ ସମସ୍ୟା ଓ ମୁଦ୍ଦା ଉପରେ ଆଧାରିତ ହେବ। ଅକ୍ଟୋବରରେ ଭୁବନେଶ୍ୱରଠାରେ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମରେ ଯୁବ ବର୍ଗଙ୍କ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ।
ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେବାକୁ ଯୋଜନା କରିଛି। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ନବରଙ୍ଗପୁରରୁ ଏକ ବ୍ୟାପକ ପଦଯାତ୍ରା ଶୁଭାରମ୍ଭ କରାଯିବ, ଯେଉଁଥିରେ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିବେ। ଏହି ପଦଯାତ୍ରାଗୁଡ଼ିକର ସୁଚାରୁ ପରିଚାଳନା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ନଜର ରଖାଯିବ।
ପିସିସି ସଭାପତି ଆହୁରି ସୂଚନା ଦେଇଛନ୍ତି ଯେ, କଂଗ୍ରେସର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବା ପାଇଁ ଆସନ୍ତା ଜାନୁଆରୀ ଓ ଫେବ୍ରୁଆରୀ ମାସ ମଧ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତ କରିବେ। ରାଜ୍ୟରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ମାହୋଲ ତିଆରି କରିବା ପାଇଁ କଂଗ୍ରେସ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି।




