ଜବଲପୁର/ଭୋପାଳ: ମଡେଲ୍ ତଥା ଅଭିନେତ୍ରୀ ଟ୍ୱିଷା ଶର୍ମାଙ୍କ ମୃତ୍ୟୁ ମାମଲାରେ ଜେଲ୍ରେ ଥିବା ପୂର୍ବତନ ଜିଲ୍ଲା ଜଜ୍ ଗିରିବାଳା ସିଂହଙ୍କୁ ସଦ୍ୟ କୌଣସି ଆଶ୍ୱସ୍ତି ମିଳିନାହିଁ। ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଗିରିବାଳାଙ୍କ ଜାମିନ ଆବେଦନ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)କୁ ନୋଟିସ ଜାରି କରିବା ସହ ଜବାବ ରଖିବା ପାଇଁ ସପ୍ତାହେ ସମୟ ଦେଇଛନ୍ତି କୋର୍ଟ।
ଜଷ୍ଟିସ୍ ଅଜୟ କୁମାର ନିରଙ୍କାରୀଙ୍କ ଏକକ ପୀଠ ଏହି ମାମଲାର ଶୁଣାଣି କରିଥିଲେ। ଗିରିବାଳା ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ସିଂହ କୋର୍ଟରେ ପକ୍ଷ ରଖି ତାଙ୍କର ବୟସ ଏବଂ ସ୍ୱାସ୍ଥ୍ୟାବସ୍ଥା ଆଧାରରେ ଜାମିନ ପ୍ରଦାନ କରିବାକୁ ନିବେଦନ କରିଥିଲେ। ସେ ଆହୁରି ଯୁକ୍ତି ବାଢ଼ିଥିଲେ ଯେ, ଗିରିବାଳା ଏପରି କୌଣସି କାର୍ଯ୍ୟ କରିନାହାନ୍ତି ଯାହା ଦ୍ୱାରା ସେ ଏହି ଅପରାଧ ପାଇଁ ଦାୟୀ ହେବେ ଏବଂ ବୋହୂ ଟ୍ୱିଷାଙ୍କୁ ଆତ୍ମହତ୍ୟା ପାଇଁ ଉତ୍ସାହିତ କରିଥିବା ନେଇ କୌଣସି ପ୍ରମାଣ ନାହିଁ। ଜାମିନ ମିଳିଲେ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅପରପକ୍ଷରେ ସିବିଆଇ ପକ୍ଷରୁ ଜାମିନ ଆବେଦନର ସାପ୍ତାହିକ ଜବାବ ଦାଖଲ କରିବା ସହ କେସ୍ ଡାଏରୀ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଗୋଟିଏ ସପ୍ତାହ ସମୟ ମଗାଯାଇଥିଲା। ସିବିଆଇ ପୂର୍ବରୁ ଏହି ଜାମିନ ଆବେଦନ ବିରୋଧରେ ଆପତ୍ତି ଦାଖଲ କରିସାରିଛି। କୋର୍ଟ ସିବିଆଇକୁ ସମୟ ପ୍ରଦାନ କରି ଆସନ୍ତା ସପ୍ତାହକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଫଳରେ ଗିରିବାଳା ସିଂହଙ୍କୁ ବର୍ତ୍ତମାନ ପାଇଁ ଜେଲ୍ରେ ହିଁ ରହିବାକୁ ପଡ଼ିବ।
ଗତ ମେ ୧୨ ତାରିଖରେ ଭୋପାଳର କଟାରା ହିଲ୍ସ ସ୍ଥିତ ଶାଶୂଘରେ ମଡେଲ ଟ୍ୱିଷା ଶର୍ମାଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା। ଟ୍ୱିଷାଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ। ଏହି ଗୁରୁତର ମାମଲାର ତଦନ୍ତ କରୁଥିବା ସିବିଆଇ ଅଗଷ୍ଟ ମାସରେ ଟ୍ୱିଷାଙ୍କ ସ୍ୱାମୀ ସମର୍ଥ ସିଂହ ଏବଂ ଶାଶୂ ଗିରିବାଳା ସିଂହଙ୍କ ବିରୋଧରେ ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା।
ଆସନ୍ତା ସପ୍ତାହରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ସମୟରେ ସିବିଆଇର ଜବାବ ଏବଂ କେସ୍ ଡାଏରୀ ଉପରେ କୋର୍ଟ ଗୁରୁତ୍ୱ ଦେବେ ବୋଲି ଟ୍ୱିଷାଙ୍କ ପରିବାର ପକ୍ଷରୁ ଆଇନଜୀବୀ ଅନୁରାଗ ପାଣ୍ଡେ ସୂଚନା ଦେଇଛନ୍ତି।




