ଭୁବନେଶ୍ୱର: ଓଡ଼ିଶା ପାଇଁ ଆଉ ଏକ ଗୌରବ ଆଣିଛନ୍ତି NISER ଭୁବନେଶ୍ୱରର ପ୍ରଫେସର ହିମାଂଶୁ ଶେଖର ବିଶ୍ୱାଳ। NISERର ସ୍କୁଲ୍‌ ଅଫ୍‌ କେମିକାଲ୍‌ ସାଇନ୍ସେସ୍‌ର ପ୍ରଫେସର ବିଶ୍ୱାଳଙ୍କୁ ୨୦୨୬ ବର୍ଷ ପାଇଁ ନ୍ୟାସନାଲ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌, ଇଣ୍ଡିଆ (NASI)ର ଫେଲୋ ଭାବେ ନିର୍ବାଚିତ କରାଯାଇଛି। ଏହି ଫେଲୋଶିପ୍‌ ୧ ଜାନୁଆରୀ ୨୦୨୭ରୁ କାର୍ଯ୍ୟକାରୀ ହେବ।

ରସାୟନ ବିଜ୍ଞାନରେ ଗବେଷଣା ପାଇଁ ସମ୍ମାନ

ହିମାଂଶୁ ଶେଖର ବିଶ୍ୱାଳଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର ହେଉଛି ହାଇଡ୍ରୋଜେନ୍‌ ବଣ୍ଡିଂ ଓ ନନ୍‌-କୋଭାଲେଣ୍ଟ ଇଣ୍ଟରାକ୍ସନ୍‌। ଆଧୁନିକ ସ୍ପେକ୍ଟ୍ରୋସ୍କୋପିକ୍‌ ପ୍ରଯୁକ୍ତି ବ୍ୟବହାର କରି ଅଣୁସ୍ତରରେ ଏହି ପ୍ରକ୍ରିୟାଗୁଡ଼ିକ ଉପରେ ସେ ଗବେଷଣା କରିଛନ୍ତି।

NISERରେ କାର୍ଯ୍ୟରତ ସମୟରେ ସେ ଏକ ଉନ୍ନତ ଲେଜର ସ୍ପେକ୍ଟ୍ରୋସ୍କୋପି ଲାବରେଟୋରି ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଏହା ଅନୁଷ୍ଠାନରେ ଉଚ୍ଚସ୍ତରୀୟ ସ୍ପେକ୍ଟ୍ରୋସ୍କୋପିକ୍‌ ଗବେଷଣା ପାଇଁ ସୁବିଧା ବଢ଼ାଇଛି।

ଯାଜପୁରର ଚାଷୀ ପରିବାରରୁ ବୈଜ୍ଞାନିକ

ପ୍ରଫେସର ବିଶ୍ୱାଳ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଏକ ଚାଷୀ ପରିବାରରୁ ଆସିଛନ୍ତି। ଓଡ଼ିଶାରେ ନିଜ ଗବେଷଣା ଜାରି ରଖି ସେ ଏହି ଜାତୀୟ ସ୍ତରର ସମ୍ମାନ ହାସଲ କରିଛନ୍ତି।

ତାଙ୍କ ଶିକ୍ଷା ଓ ଗବେଷଣା ଯାତ୍ରାରେ ଭଦ୍ରକ କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟ, TIFR ମୁମ୍ବାଇ, ଫ୍ରାନ୍ସର CEA-Saclay ଏବଂ ଆମେରିକାର University of Michiganର ଅଭିଜ୍ଞତା ରହିଛି।

NASI ଫେଲୋ ଭାବେ ତାଙ୍କ ନିର୍ବାଚନ ଓଡ଼ିଶାର ବୈଜ୍ଞାନିକ ଗବେଷଣା କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଦେଖାଯାଉଛି।