ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ତାଙ୍କ ଭଉଣୀମାନଙ୍କୁ ଦେଖା କରିବାକୁ ପୁଣିଥରେ ବାରଣ କରାଯାଇଛି। ଇସଲାମାବାଦ ହାଇକୋର୍ଟ (IHC)ଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ରାୱଲପିଣ୍ଡିର ଅଦିଆଲା ଜେଲ୍ ପ୍ରଶାସନ ଇମ୍ରାନ୍ଙ୍କ ଭଉଣୀ ଓ ଓକିଲମାନଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇନାହିଁ।
ଇମ୍ରାନ୍ ଖାନ୍ଙ୍କ ଆଇନଜୀବୀ ଆୱାଇସ୍ ୟୁନୁସ୍ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଇମ୍ରାନ୍ଙ୍କ ଭଉଣୀ ଏବଂ ୬ ଜଣ ଓକିଲ ସାକ୍ଷାତ ପାଇଁ ଜେଲ୍ ବାହାରେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଜେଲ୍ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ମିଳିନଥିଲା।
ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ମଙ୍ଗଳବାର ଦିନ ପରିବାର ଓ ଓକିଲ ଏବଂ ଗୁରୁବାର ଦିନ ଦଳୀୟ ନେତାମାନେ ଇମ୍ରାନ୍ଙ୍କୁ ଭେଟିପାରିବେ ବୋଲି ଇସଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଶାସନ ନିୟମିତ ଭାବେ ଏହି କୋର୍ଟ ଆଦେଶକୁ ଉଲ୍ଲଂଘନ କରୁଛି।
ଇମ୍ରାନ୍ଙ୍କ ଭଉଣୀ ଆଲିମା ଖାନ୍ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନରେ ସାଧାରଣ ନାଗରିକଙ୍କୁ ନ୍ୟାୟ ମିଳୁନାହିଁ। ଗତ କିଛି ମାସ ହେବ କୋର୍ଟରେ ଇମ୍ରାନ୍ ଖାନ୍ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ଜାମିନ ଆବେଦନର ଶୁଣାଣି ହେଉନାହିଁ।
ଏହି ଘଟଣାକୁ ନେଇ ଇମ୍ରାନ୍ଙ୍କ ଅନ୍ୟତମ ଭଉଣୀ ଉଜ୍ମା ଖାନ୍ ସୁପ୍ରିମକୋର୍ଟରେ ଦ୍ୱିତୀୟ ଅଦାଲତ ଅବମାନନା ମାମଲା ଦାଖଲ କରିଛନ୍ତି। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଷରୀଫ, ଅଦିଆଲା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ, ପଞ୍ଜାବ ଜେଲ୍ ଆଇଜି ଏବଂ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।
ସୁପ୍ରିମକୋର୍ଟଙ୍କ ଅଗଷ୍ଟ ୧୮ ନିର୍ଦ୍ଦେଶ ଅନୁଯାୟୀ, ଇମ୍ରାନ୍ଙ୍କୁ ସପ୍ତାହକୁ ଦୁଇଥର ତାଙ୍କ ଦୁଇ ପୁଅ କାସିମ୍ ଓ ସୁଲେମାନ୍ଙ୍କ ସହ ଭିଡିଓ କଲ୍ରେ କଥା ହେବାକୁ ଅନୁମତି ଦିଆଯାଇଥିଲା। ହେଲେ ଗତ ମାର୍ଚ୍ଚ ମାସରୁ ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା କରାଯାଇନାହିଁ। ଏହା ସହ ଇମ୍ରାନ୍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋର୍ଟ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଶାସନ ତାଙ୍କୁ ଅନ୍ୟତ୍ର ନେଇ ପୁଣି ଜେଲ୍କୁ ଫେରାଇ ଆଣିଥିଲା। ପ୍ରଶାସନର ଏହି ଏକଚାଟିଆ ମନୋଭାବ ଯୋଗୁଁ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଉଛି।




