ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ‘ଯାତ୍ରୀ ସେବା ଅଭିଯାନ-୨୦୨୬’ ପାଳିତ ହେବାକୁ ଯାଉଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI)ର ଦେଶବ୍ୟାପୀ ଅଭିଯାନର ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ବିମାନବନ୍ଦରରେ ଯାତ୍ରୀଙ୍କ ସୁବିଧା, ସେବାର ଗୁଣବତ୍ତା, ସୁରକ୍ଷା, ସ୍ୱଚ୍ଛତା, କର୍ମଚାରୀଙ୍କ ସୌଜନ୍ୟମୂଳକ ବ୍ୟବହାର ଏବଂ ସମଗ୍ର ଯାତ୍ରା ଅନୁଭୂତିକୁ ଅଧିକ ସୁଦୃଢ଼ କରିବା।
ସେପ୍ଟେମ୍ବର ୧୭ରେ ଏକ ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ, ‘ବନ୍ଦେ ମାତରମ୍’ ଗାନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରୀ ସହାୟତା ଶିବିର ଏବଂ ‘ସେଲ୍ଫି ୱିଥ୍ ପ୍ରଧାନମନ୍ତ୍ରୀ’ ବୁଥ୍ ସ୍ଥାପନ ସହ ଏହି ସେବା ଅଭିଯାନର ଆରମ୍ଭ ହେବ।
ବିଭିନ୍ନ ବିଷୟବସ୍ତୁ ଆଧାରିତ କାର୍ଯ୍ୟକ୍ରମ
ଏହି ଅଭିଯାନ ଅବଧି ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ସେବା ଏବଂ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯିବ:
- ଯାତ୍ରୀ ସୁବିଧା ଓ ନିରାପତ୍ତା: ସ୍ୱଚ୍ଛ ପରିବେଶ, ପାର୍କିଂ, ଆସନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଗମ କରାଯିବ।
- ସ୍ୱତନ୍ତ୍ର ଧ୍ୟାନ: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ମହିଳା ଓ ଶିଶୁମାନଙ୍କ ପାଇଁ ଅଧିକ ଅନୁକୂଳ ସୁବିଧା ଯୋଗାଇ ଦିଆଯିବ।
- ଡିଜିଟାଲ୍ ସେବା: ‘ଡିଜି ଯାତ୍ରା’, ମାଗଣା ୱାଇ-ଫାଇ (Wi-Fi) ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସେବାର ସହଜ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ।
- ‘ଅତିଥି ଦେବୋ ଭବ’: ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର କରାଯାଇ ବିମାନବନ୍ଦରକୁ ରାଜ୍ୟର ସାଂସ୍କୃତିକ ପ୍ରବେଶଦ୍ୱାର ଭାବେ ଉପସ୍ଥାପିତ କରାଯିବ।
ଗାନ୍ଧୀ ଜୟନ୍ତୀ ଅବସରରେ ‘ସ୍ୱଚ୍ଛତା ଦିବସ’ ଓ ଶ୍ରମଦାନ କାର୍ଯ୍ୟକ୍ରମ ସହ ସବୁଜ ଓ ସ୍ଥାୟୀ ବିମାନବନ୍ଦର ପଦକ୍ଷେପ ନିଆଯିବ। ଏହାସହ ଜରୁରୀକାଳୀନ ଚିକିତ୍ସା ସେବା ଏବଂ କର୍ମଚାରୀଙ୍କ ପାଇଁ ‘ସର୍ଭିସ ୱିଥ ସ୍ମାଇଲ’ ନାମକ ଆଚରଣଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ‘ଉଡାନ୍ (UDAN)’ ଯୋଜନାର ଯାତ୍ରୀ ଓ ପ୍ରଥମ ଥର ବିମାନ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ସ୍ୱାଗତ କରାଯିବା ସହ ଶ୍ରେଷ୍ଠ ସେବା ପ୍ରଦାନକାରୀ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ।




