ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍‌ ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପଶ୍ଚିମବଙ୍ଗରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୮ ତାରିଖରେ ଖପରାପଦାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଦିନ ଦ୍ୱିପ୍ରହରରେ ଲୁଟ୍‌ ହୋଇଥିଲା। ମୁଖା ପିନ୍ଧିଥିବା ସଶସ୍ତ୍ର ଦୁର୍ବୃତ୍ତମାନେ ଗ୍ରାହକ ବେଶରେ ବ୍ୟାଙ୍କ ଭିତରକୁ ପଶି ମ୍ୟାନେଜରଙ୍କୁ ଧମକ ଦେଇଥିଲେ। ପରେ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟି ମୋଟରସାଇକେଲ୍‌ରେ ଫେରାର ହୋଇଯାଇଥିଲେ।

ଘଟଣା ପରେ ବାଲେଶ୍ୱର ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ତଦନ୍ତରେ ପଶ୍ଚିମବଙ୍ଗ ଲିଙ୍କ୍‌ ସାମ୍ନାକୁ ଆସିବା ପରେ ସେଠାରେ ଚଢ଼ାଉ କରାଯାଇ ୫ ଜଣଙ୍କୁ କାବୁ କରାଯାଇଛି।

ତେବେ ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି। ଲୁଟ୍‌ ହୋଇଥିବା ଟଙ୍କା ଓ ଅନ୍ୟ ସାମଗ୍ରୀ ଉଦ୍ଧାର ନେଇ ମଧ୍ୟ ତଦନ୍ତ ଚାଲିଛି।

ଉଲ୍ଲେଖଯୋଗ୍ୟ, ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗତ କିଛି ବର୍ଷ ମଧ୍ୟରେ ଏହା ତୃତୀୟ ଲୁଟ୍‌ ଘଟଣା ବୋଲି ଜଣାପଡ଼ିଛି।