ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପସି ଗାଁ ନିକଟରୁ ୩୩୨ କେଜି ଗଞ୍ଜେଇ ବୋଝେଇ ଏକ ଟ୍ରକ୍‌ ଜବତ କରିଛି ପୁଲିସ। ପୁଲିସକୁ ଦେଖି ଟ୍ରକ୍‌ ଛାଡ଼ି ଚାଳକ ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କୁଣ୍ଢେଇଗୋଳା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କୁରଡ଼ପସି ଗାଁ ମୁଣ୍ଡରେ ଏକ ଟ୍ରକ୍‌ ଠିଆ ହୋଇଥିବା ଦେଖିଥିଲା। ଟ୍ରକ୍‌ ନିକଟରେ ଚାଳକ କିମ୍ବା ହେଲପର ନଥିବାରୁ ପୁଲିସର ସନ୍ଦେହ ହୋଇଥିଲା।

ଯାଞ୍ଚ ବେଳେ ଟ୍ରକ୍‌ରୁ ଗଞ୍ଜେଇର ଗନ୍ଧ ଆସିବାରୁ ପୁଲିସ ଗାଡ଼ିକୁ ନିଜ ହେପାଜତକୁ ନେଇଥିଲା। ପରେ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ବିଜୟଲକ୍ଷ୍ମୀ ନାୟକଙ୍କ ଉପସ୍ଥିତିରେ ବୁଧବାର ଟ୍ରକ୍‌ ଖୋଲାଯାଇଥିଲା। ଏଥିରୁ ୩ କ୍ୱିଣ୍ଟାଲ୍‌ ୩୨ କେଜି ଗଞ୍ଜେଇ ଜବତ ହୋଇଥିଲା।

ଜବତ ଟ୍ରକ୍‌ର ନମ୍ବର WB-25-L-7676। ଏହା କୋଲକାତାରୁ ପୁଣେ ଅଭିମୁଖେ ଯାଉଥିବା ସନ୍ଦେହ କରାଯାଉଛି। ଗାଡ଼ି ନମ୍ବରକୁ ଆଧାର କରି ପୁଲିସ ଚାଳକ ଓ ଗଞ୍ଜେଇ ଚୋରାଚାଲାଣ ସହ ଜଡ଼ିତ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।