ଜଗଦଲପୁର: ୨୦୧୩ ମସିହାର ବହୁଚର୍ଚ୍ଚିତ ଝୀରମ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ। ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ଜଣ ମାଓବାଦୀଙ୍କୁ ବୁଧବାର ଫାଶୀ ଦଣ୍ଡାଦେଶ ଦିଆଯାଇଛି।
ବିଚାରପତି ଅଭୟ ସିଂହ ରାଜପୁତ ଅପରାଧିକ ଷଡ଼ଯନ୍ତ୍ର ଏବଂ ହତ୍ୟା ଦଫାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀଙ୍କ ମଧ୍ୟରେ ପ୍ରମିଳା ମୋଡିୟାମ୍, ଚୈତୁ ଲେକାମ୍ ଓରଫ୍ ମୁନ୍ନା, ସୁମିତା ଓରଫ୍ ପୁନମ୍ ମୋଡିୟାମ୍, ମୁକ୍କା ମାଣ୍ଡଭି, କୋସା କାଭାସି ଓରଫ୍ କୋସାରାମ୍, ଆୟତା ମାର୍କାମ୍, ମାଡକାମୀ ଦେବା, ଜୋଗା ମାଡକାମୀ, ବଞ୍ଜାମୀ ସନ୍ନା ଓରଫ୍ ଚାମରୁ ଏବଂ ମହାଦେବ ନାଗ ଅଛନ୍ତି।
୨୦୧୩ରେ ହୋଇଥିଲା ଭୟଙ୍କର ଆକ୍ରମଣ
୨୦୧୩ ମେ’ ୨୫ରେ ଛତିଶଗଡ଼ର ଝୀରମ ଘାଟିରେ କଂଗ୍ରେସର ପରିବର୍ତ୍ତନ ରାଲିରୁ ଫେରୁଥିବା କନ୍ଭୟ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ତତ୍କାଳୀନ ପ୍ରଦେଶ କଂଗ୍ରେସ ସଭାପତି ନନ୍ଦକୁମାର ପଟେଲ, ତାଙ୍କ ପୁଅ ଦିନେଶ ପଟେଲ, ମହେନ୍ଦ୍ର କର୍ମା ଓ ପୂର୍ବତନ ବିଧାୟକ ଉଦୟ ମୁଦଲିୟାରଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷାକର୍ମୀ ଥିଲେ। ଆକ୍ରମଣରେ ୩୮ ଜଣ ଆହତ ହୋଇଥିଲେ।
୨୯୪ ଶୁଣାଣି ପରେ ରାୟ
ଏହି ମାମଲାରେ ଏନ୍ଆଇଏ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ଦୀର୍ଘ ବର୍ଷ ଧରି ଚାଲିଥିବା ବିଚାର ପ୍ରକ୍ରିୟାରେ ୧୦୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ପ୍ରାୟ ୨୯୪ଟି ଶୁଣାଣି ପରେ କୋର୍ଟ ଏହି ରାୟ ଦେଇଛନ୍ତି।
ମାମଲାରେ ମୋଟ ୧୧ ଜଣ ଅଭିଯୁକ୍ତ ବିଚାରର ସମ୍ମୁଖୀନ ହୋଇଥିଲେ। ବିଚାର ଚାଲିଥିବା ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ଏନ୍ଆଇଏ ଚାର୍ଜସିଟ୍ରେ ନାମ ଥିବା ଆଉ ୨୮ ଜଣ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାପଡ଼ିଛି।
ଫାଶୀ ଦଣ୍ଡାଦେଶ ବିରୋଧରେ ଦୋଷୀମାନେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ। ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ଦଣ୍ଡ କାର୍ଯ୍ୟକାରୀ ହେବ।




