ଜୟପୁର:ଅଜମେର ମ୍ୟୁନିସିପାଲ କର୍ପୋରେସନ (AMC) ମେୟର ନିର୍ବାଚନ ପୂର୍ବରୁ ରାଜସ୍ଥାନ ରାଜନୀତିରେ ଚଳଚଞ୍ଚଳତା ବୃଦ୍ଧି ପାଇଛି। ଦଳୀୟ କାଉନସିଲରଙ୍କୁ କ୍ରସ୍ ଭୋଟିଂ ଓ ହୋର୍ସ-ଟ୍ରେଡିଂରୁ ରକ୍ଷା କରିବା ପାଇଁ କଂଗ୍ରେସ ନିଜର ୪୨ ଜଣ କାଉନସିଲରଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିଛି। ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଓ ଭୋଟ୍ ଗଣତି ଅନୁଷ୍ଠିତ ହେବ।
ରାଜସ୍ଥାନ ପର୍ଯ୍ୟଟନ ଉନ୍ନୟନ ନିଗମ (RTDC) ର ପୂର୍ବତନ ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୋରଙ୍କ ନେତୃତ୍ୱରେ ଏହି କାଉନସିଲରମାନଙ୍କୁ ବେଙ୍ଗାଲୁରୁ ନିଆଯାଇଛି। ଏଥିରେ ୩୭ ଜଣ କଂଗ୍ରେସ କାଉନସିଲର ଏବଂ ୫ ଜଣ ସ୍ୱାଧୀନ କାଉନସିଲର ସାମିଲ ଅଛନ୍ତି।
ପ୍ରଥମେ କଂଗ୍ରେସ ନିଜ କାଉନସିଲରମାନଙ୍କୁ ପୁଷ୍କରର ଏକ ରିସୋର୍ଟରେ ରଖିଥିଲା। ମାତ୍ର ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ବେଙ୍ଗାଲୁରୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଠୋରଙ୍କ କହିବାନୁସାରେ, ଏହି କାଉନସିଲରମାନେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରହିବେ ଏବଂ ୨୧ ତାରିଖ ସକାଳେ ଭୋଟ୍ ଦେବା ପାଇଁ ସିଧାସଳଖ ଅଜମେର ଫେରିବେ।
ନିର୍ବାଚନୀ ଗଣିତ: ସ୍ୱାଧୀନ ପ୍ରାର୍ଥୀ ସାଜିଛନ୍ତି କିଙ୍ଗମେକର୍
ଅଜମେର ମ୍ୟୁନିସିପାଲ କର୍ପୋରେସନରେ ମୋଟ ୮୦ ଟି ୱାର୍ଡ ରହିଛି। ମେୟର ଆସନ ହାତେଇବା ପାଇଁ ମୋଟ ୪୧ ଟି ଭୋଟ୍ର ଆବଶ୍ୟକତା ରହିଛି।
- କଂଗ୍ରେସ: ୩୭ ଆସନ
- ବିଜେପି: ୩୨ ଆସନ
- ସ୍ୱାଧୀନ: ୧୧ ଆସନ
କଂଗ୍ରେସ ପାଖରେ ୩୭ ଟି ଆସନ ଥିବା ବେଳେ ବହୁମତ ପାଇଁ ଅତିରିକ୍ତ ୪ ଟି ଭୋଟ୍ ଦରକାର। ବର୍ତ୍ତମାନ ୫ ଜଣ ସ୍ୱାଧୀନ କାଉନସିଲରଙ୍କ ସମର୍ଥନ ମିଳିଥିବାରୁ କଂଗ୍ରେସ ଶିବିରରେ ସଂଖ୍ୟା ୪୨ କୁ ବୃଦ୍ଧି ପାଇଛି, ଯାହା ବହୁମତ ସଂଖ୍ୟାଠାରୁ ଗୋଟିଏ ଅଧିକ।
ମେୟର ପଦବୀ ପାଇଁ କଂଗ୍ରେସ ୱାର୍ଡ ନଂ ୫୭ ର କାଉନସିଲର କିରଣ ଗଡ଼ୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ୱାର୍ଡ ନଂ ୩ ର ଅନାମିକା ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି।
କଂଗ୍ରେସ ପ୍ରାର୍ଥୀ କିରଣ ଗଡ଼ୱାଲ କହିଛନ୍ତି ଯେ ନିର୍ବାଚିତ ହେଲେ ମହିଳା ସୁରକ୍ଷା, ଯୁବକମାନଙ୍କ ପାଇଁ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଅଜମେରର ସର୍ବାଙ୍ଗୀନ ଉନ୍ନତି ତାଙ୍କର ପ୍ରାଥମିକତା ହେବ। ଅନ୍ୟପକ୍ଷରେ, ବିଜେପି କାଉନସିଲରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣି କଂଗ୍ରେସ ଏହି ପଦକ୍ଷେପ ନେଇଥିବା ଦର୍ଶାଇଛି। ଆସନ୍ତା ସେପ୍ଟେମ୍ବର ୨୧ ରେ ଭୋଟଗ୍ରହଣ ପରେ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ।




