ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ରକ୍ତଦାନକୁ ମାନବ ସେବାର ଶ୍ରେଷ୍ଠ ରୂପ ଭାବେ ଅଭିହିତ କରିଛନ୍ତି।
ସାରା ଓଡ଼ିଶାର ୪.୫ କୋଟି ଜନସାଧାରଣଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ୫୦ ବର୍ଷର ଜନସେବା ଓ ୨୫ ବର୍ଷର ନିରବଚ୍ଛେଦ ଶାସନ ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଛି।
ଏହି ମେଗା ଶିବିରରେ ୬,୫୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ରକ୍ତର ଅଭାବ ଯେପରି କାହାର ଜୀବନ ନନିଏ, ସେଥିପାଇଁ ୨୦୨୬-୨୭ ବଜେଟ୍ରେ ‘ଅଟଳ ରକ୍ତଦାନ ଅଭିଯାନ’ ଅଧୀନରେ ୫୦ କୋଟି ୫୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ନୂତନ ମେଡିକାଲ କଲେଜଗୁଡ଼ିକରେ ବ୍ଲଡ୍ ବ୍ୟାଙ୍କ ସ୍ଥାପନ ଓ ପୁରୁଣା ବ୍ଲଡ୍ ବ୍ୟାଙ୍କର ଆଧୁନିକୀକରଣ କରାଯିବ।
ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ରକ୍ତର କୌଣସି ବିକଳ୍ପ ନାହିଁ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଯୁବସମାଜକୁ ସାମାଜିକ ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଆଜି ସେମିକଣ୍ଡକ୍ଟର, ମହାକାଶ ବିଜ୍ଞାନ ଓ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ବୋଲି ସେ ପ୍ରକାଶ କରିଥିଲେ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ରାଜ୍ୟସଭା ସାଂସଦ ମନମୋହନ ସାମଲ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନର ଗୁରୁତ୍ୱ ଓ କୋଭିଡ୍ ପରବର୍ତ୍ତୀ ସମୟରେ ରକ୍ତର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁଜିତ୍ କୁମାର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ବାବୁ ସିଂହ, ପ୍ରଶାନ୍ତ ଜଗଦ୍ଦେବ, ଇରାସିସ ଆଚାର୍ଯ୍ୟ, ଦୁର୍ଗା ପ୍ରସନ୍ନ ନାୟକଙ୍କ ସମେତ ବହୁ ବରିଷ୍ଠ ନେତା, ସ୍ୱେଚ୍ଛାସେବୀ ଓ ବହୁସଂଖ୍ୟାରେ ରକ୍ତଦାତା ସାମିଲ ହୋଇଥିଲେ।




