ଛତ୍ରପୁର: ସମୁଦ୍ରପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଓ ଅନ୍ୟ ସୁରକ୍ଷା ବିପଦକୁ ରୋକିବା ପାଇଁ ଗଞ୍ଜାମ ଉପକୂଳରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ଉପକୂଳ ସୁରକ୍ଷା ଅଭ୍ୟାସ ‘ସାଗର କବଚ’। ଗଞ୍ଜାମ ପୁଲିସ ନେତୃତ୍ୱରେ ଆୟୋଜିତ ଏହି ଅଭ୍ୟାସରେ ବିଭିନ୍ନ ସୁରକ୍ଷା ଓ ସରକାରୀ ବିଭାଗ ସାମିଲ ହୋଇଛନ୍ତି।

୪୦ କିମି ଉପକୂଳରେ ନଜର

ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର, ରମ୍ଭା ଓ ଚମାଖଣ୍ଡି ଥାନା ଅଧୀନ ଉପକୂଳ ଓ ଜଳପଥରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଆର୍ଯ୍ୟପଲ୍ଲୀ ମେରାଇନ୍‌ ଥାନା ପକ୍ଷରୁ ପ୍ରୟାଗୀଠାରୁ ହରିପୁର ପର୍ଯ୍ୟନ୍ତ ପ୍ରାୟ ୪୦ କିମି ଉପକୂଳରେ ସମୁଦ୍ର ପାଟ୍ରୋଲିଂ କରାଯାଉଛି।

ବିଭିନ୍ନ ପ୍ରମୁଖ ସ୍ଥାନ ଓ ରାସ୍ତାରେ ଯାନବାହନ ଯାଞ୍ଚ ସହ ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଉଛି। ଜଳପଥରେ ମଧ୍ୟ ସୁରକ୍ଷାକର୍ମୀଙ୍କ ପଇଁତରା ଜାରି ରହିଛି।

‘ରେଡ୍‌’ ଓ ‘ବ୍ଲୁ’ ଟିମ୍‌

ଅଭ୍ୟାସରେ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ପରୀକ୍ଷା ପାଇଁ ‘ରେଡ୍‌ ଟିମ୍‌’ ଓ ‘ବ୍ଲୁ ଟିମ୍‌’ ଗଠନ କରାଯାଇଛି। ରେଡ୍‌ ଟିମ୍‌ ଅନୁପ୍ରବେଶକାରୀଙ୍କ ଭୂମିକା ନେଉଥିବା ବେଳେ ବ୍ଲୁ ଟିମ୍‌ ସେମାନଙ୍କୁ ଚିହ୍ନଟ କରି ପ୍ରତିରୋଧ କରିବାର ଅଭ୍ୟାସ କରୁଛି।

ପୁଲିସ ସହ ମତ୍ସ୍ୟ ବିଭାଗ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ଓ କୋଷ୍ଟଗାର୍ଡ କର୍ମଚାରୀ ଏହି ଅଭ୍ୟାସରେ ଭାଗ ନେଇଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସନ୍ଦେହଜନକ ବ୍ୟକ୍ତି କିମ୍ବା ଗତିବିଧି ସମ୍ପର୍କରେ ତୁରନ୍ତ ପୁଲିସକୁ ଜଣାଇବାକୁ ସଚେତନ କରାଯାଉଛି।

ଅଭ୍ୟାସ ମାଧ୍ୟମରେ ସମୁଦ୍ର କିମ୍ବା ସ୍ଥଳପଥରେ ଅନୁପ୍ରବେଶ ଘଟିଲେ ବିଭିନ୍ନ ଏଜେନ୍ସି କେତେ ଶୀଘ୍ର ଓ ସମନ୍ୱିତ ଭାବେ ପ୍ରତିକ୍ରିୟା କରିପାରିବେ, ତାହା ପରୀକ୍ଷା କରାଯାଉଛି।