ନୂଆଦିଲ୍ଲୀ: ସିବିଏସ୍ଇର ତ୍ରି-ଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ଷଷ୍ଠ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ କିଛି ରିହାତି କିମ୍ବା ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ଉପରେ ହଠାତ୍ ନୂଆ ବ୍ୟବସ୍ଥା ଲାଗୁ କରିବା ପରିବର୍ତ୍ତେ ଆଗାମୀ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବା ବିଷୟରେ ବିଚାର କରିବାକୁ କୋର୍ଟ କହିଛନ୍ତି।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ଗୁରୁବାର ଏହି ପରାମର୍ଶ ଦେଇଛନ୍ତି। CBSE ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟିଆ କୋର୍ଟଙ୍କ ପରାମର୍ଶ ଉପରେ ବିଚାର କରି ନୂଆ ନୋଟ୍ ଦାଖଲ କରିବାକୁ କହିଛନ୍ତି।
୨୦୨୭ରୁ ଲାଗୁ କରିବାକୁ ବିଚାର
କୋର୍ଟ କହିଛନ୍ତି, ବର୍ତ୍ତମାନ ଷଷ୍ଠ ଶ୍ରେଣୀରେ ଥିବା ଶିକ୍ଷାର୍ଥୀଙ୍କୁ ଚଳିତ ଶିକ୍ଷାବର୍ଷରେ ତ୍ରି-ଭାଷା ନୀତିରୁ ରିହାତି ଦିଆଯାଇପାରେ। ଯେଉଁ ଶିକ୍ଷାର୍ଥୀ ଚଳିତ ବର୍ଷ ଠାରୁ ତିନିଟି ଭାଷା ପଢ଼ିବାକୁ ଚାହାନ୍ତି, ସେମାନଙ୍କୁ ଏହି ସୁଯୋଗ ଦିଆଯାଇପାରିବ। ଅନ୍ୟମାନଙ୍କ ପାଇଁ ନୂଆ ବ୍ୟବସ୍ଥାକୁ ୨୦୨୭ରୁ ବାଧ୍ୟତାମୂଳକ କରାଯାଇପାରେ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି।
ତେବେ ଏହି ପରାମର୍ଶ ତ୍ରି-ଭାଷା ନୀତିର ଆଇନଗତ ବୈଧତା ଉପରେ କୋର୍ଟଙ୍କ ଚୂଡ଼ାନ୍ତ ରାୟ ନୁହେଁ। ମାମଲାର ମୁଖ୍ୟ ଆଇନଗତ ପ୍ରସଙ୍ଗ ଉପରେ ପରେ ବିଚାର କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ତ୍ରି-ଭାଷା ନୀତିରେ କ’ଣ ରହିଛି?
CBSEର ନୂଆ ବ୍ୟବସ୍ଥା ଅନୁସାରେ ଶିକ୍ଷାର୍ଥୀଙ୍କୁ ତିନୋଟି ଭାଷା ପଢ଼ିବାକୁ ହେବ, ଯେଉଁଥିରେ ଅତି କମରେ ଦୁଇଟି ଭାରତୀୟ ଭାଷା ରହିବ। ଏହି ପରିବର୍ତ୍ତନ National Education Policy (NEP) 2020 ଏବଂ National Curriculum Framework for School Education (NCF-SE) 2023 ସହ CBSEର ଶିକ୍ଷା ବ୍ୟବସ୍ଥାକୁ ସମନ୍ୱିତ କରିବାର ଅଂଶ।
ନୂଆ ଭାଷା ବ୍ୟବସ୍ଥାକୁ ନେଇ କିଛି ଅଭିଭାବକ ଓ ଆବେଦନକାରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। CBSE ଏବେ କୋର୍ଟଙ୍କ ପରାମର୍ଶ ଉପରେ ବିଚାର କରି ପରବର୍ତ୍ତୀ ନୋଟ୍ ଦାଖଲ କରିବ।




