ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନ ପୂର୍ବରୁ ୱାର୍ଡ ସୀମା ପୁନର୍ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ସଂଶୋଧିତ ସମୟସୂଚୀ ଜାରି କରିଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ। ମ୍ୟୁନିସିପାଲିଟି ଓ ନୋଟିଫାଏଡ୍ ଏରିଆ କାଉନସିଲ୍ (NAC)ଗୁଡ଼ିକ ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ସଂଶୋଧିତ ସୂଚୀ ଅନୁସାରେ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ବୌଦ୍ଧ ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲା ପାଇଁ ଏହି ସୂଚୀ ଲାଗୁ ହେବ।
୨୪ ସେପ୍ଟେମ୍ବରରେ ଡ୍ରାଫ୍ଟ ସୂଚୀ
ସଂଶୋଧିତ ସୂଚୀ ଅନୁସାରେ, ସେପ୍ଟେମ୍ବର ୨୪ରେ ୱାର୍ଡ ସୀମା ପୁନର୍ଗଠନ ଓ ଆସନ ସଂରକ୍ଷଣ ନେଇ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଉପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ୱାନ କରାଯିବ।
ଆପତ୍ତି ଓ ପରାମର୍ଶ ଦାଖଲର ଶେଷ ତାରିଖ ଅକ୍ଟୋବର ୩ ରଖାଯାଇଛି। ଏହା ପରେ ଅକ୍ଟୋବର ୭ରେ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇବ।
୨୧ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ
ପ୍ରାଥମିକ ବିଜ୍ଞପ୍ତିକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତିମାନେ ଅକ୍ଟୋବର ୭ରୁ ୨୧ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଆପିଲ୍ କରିପାରିବେ।
ପ୍ରାପ୍ତ ଆପିଲ୍ଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲାପାଳ ନିଜର ମତାମତ ଓ ସୁପାରିସ ସହ ଅକ୍ଟୋବର ୨୨ ସୁଦ୍ଧା ମ୍ୟୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବେ।
ରାଜ୍ୟ ସରକାର ଆପିଲେଟ୍ ଅଥରିଟି ଭାବେ ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ଆପିଲ୍ଗୁଡ଼ିକର ଶୁଣାଣି କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
୩୧ ଅକ୍ଟୋବରରେ ଚୂଡ଼ାନ୍ତ ବିଜ୍ଞପ୍ତି
ସମସ୍ତ ଆପିଲ୍ର ନିଷ୍ପତ୍ତି ପରେ ଅକ୍ଟୋବର ୩୧ରେ ୱାର୍ଡ ସୀମା ପୁନର୍ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଚୂଡ଼ାନ୍ତ ବିଜ୍ଞପ୍ତି ଜିଲ୍ଲାପାଳମାନେ ପ୍ରକାଶ କରିବେ। ଏହାର ନକଲ ରାଜ୍ୟ ନିର୍ବାଚନ କମିସନ, ରାଜ୍ୟ ସରକାର ଓ ସମ୍ପୃକ୍ତ ପୌର ସଂସ୍ଥାକୁ ପ୍ରଦାନ କରାଯିବ।
୪ ମହାନଗର ନିଗମ ପାଇଁ ଅଲଗା ସୂଚୀ
ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ପାଇଁ ଅଲଗା ସମୟସୀମା ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨୪ ସୁଦ୍ଧା ଏହି ୪ଟି ନିଗମକୁ ନିର୍ଦ୍ଧାରିତ Form-I ଓ Form-IIରେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ତଥ୍ୟ, ୱାର୍ଡ ସୀମାର ସ୍କେଚ୍ ମ୍ୟାପ୍ ଏବଂ ନିଗମର ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି।
ଏହି ମହାନଗର ନିଗମଗୁଡ଼ିକ ପାଇଁ ଅକ୍ଟୋବର ୫ରେ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଆପତ୍ତି ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି।
୨୦୨୭ରେ ହେବାକୁ ଥିବା ଆଗାମୀ ପୌର ନିର୍ବାଚନ ପାଇଁ ଏହି ପ୍ରକ୍ରିୟାକୁ ସମୟସୀମା ମଧ୍ୟରେ ସୁରୁଖୁରୁରେ ସମ୍ପୂର୍ଣ୍ଣ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।




