ଭୁବନେଶ୍ୱର: ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ (OAS) ଅରୁଣ କୁମାର ବିଶ୍ୱାଳଙ୍କୁ ଜଣେ ଜୁନିୟର ସହକର୍ମୀ ଯୁବତୀଙ୍କୁ ଯୌନ ନିର୍ଯାତନା ଏବଂ ଶାରୀରିକ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ୫୫ ବର୍ଷୀୟ ଅରୁଣ ବିଶ୍ୱାଳ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି।

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଯୁବତୀଜଣକ ବାଣିଜ୍ୟ ଓ ପରିବହନ ବିଭାଗରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଅରୁଣ ବିଶ୍ୱାଳ ଯୁବତୀଙ୍କ ଭଡ଼ାଘରେ ପଶି ତାଙ୍କୁ ଶାରୀରିକ ଆକ୍ରମଣ କରିବା ସହ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ। ଯୁବତୀଜଣକ କୌଶଳକ୍ରମେ ପୋଲିସକୁ ଫୋନ୍ କରି ସାହାଯ୍ୟ ମାଗିଥିଲେ।

ଖବର ପାଇ ଖାରବେଳନଗର ଥାନାର PC R ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅରୁଣଙ୍କୁ କାବୁ କରି ଥାନାକୁ ଆଣିଥିଲା।

BNS ର ସମ୍ବେଦନଶୀଳ ଧାରାରେ ମାମଲା ରୁଜୁ

ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ ଖାରବେଳନଗର ଥାନାରେ ମାମଲା (Case No. 657/2026) ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ର ଧାରା ୧୦୯(୧) [ହତ୍ୟା ଉଦ୍ୟମ], ୧୧୫(୨), ୨୯୬, ୩୫୧(୨), ୩୫୧(୩) ଏବଂ ୬୪(୨)(b) [ସରକାରୀ ପଦବୀରେ ଥାଇ ଅଧସ୍ତନ ମହିଳାଙ୍କୁ ଦୁଷ୍କର୍ମ/ଯୌନ ନିର୍ଯାତନା] ଅଧୀନରେ କଠୋର ମାମଲା ଦାୟର ହୋଇଛି।

ଖାରବେଳନଗର ଥାନା ଆଇଆଇସି ଦେବେନ୍ଦ୍ର କୁମାର ବିଶ୍ୱାଳ କହିଛନ୍ତି ଯେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଜବତ କରିଛି। ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଅରୁଣ ଗତ ୭ ରୁ ୮ ମାସ ହେବ ଯୁବତୀଙ୍କର କେତେକ ଆପତ୍ତିଜନକ ଫଟୋ ଓ ଭିଡିଓ ମୋବାଇଲ୍‌ରେ ରଖି ତାଙ୍କୁ ଧମକଚମକ ଦେବା ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏହି ଘଟଣା ପରେ ଯୁବତୀଜଣକ ଗଭୀର ମାନସିକ ଆଘାତରେ ଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।