ନବରଙ୍ଗପୁର: ବେଆଇନ ଭାବେ ଗଛ କାଟିବା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଜଣେ ଫରେଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଫରେଷ୍ଟରଜଣକ ହେଉଛନ୍ତି ଡାବୁଗାଁ ରେଞ୍ଜ ମାଇଦଲପୁର ସେକ୍ସନର ବିପିନ କୁମାର ହରିଜନ।

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି ଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବିପିନ କୁମାର ହରିଜନ ପୂର୍ବରୁ ଝରିଗାଁ ରେଞ୍ଜ ଅଧୀନ ମୋହରା ସେକ୍ସନରେ ଦାୟିତ୍ୱରେ ଥିବା ସମୟରେ ଦେଓବନ୍ଧରୁ ଜମାଦାରପଡ଼ା ରାସ୍ତାରେ ବେଆଇନ ଭାବେ ୟୁକାଲିପଟାସ ଗଛ କଟାଯାଇଥିବା ନେଇ ପ୍ରାଥମିକ ପ୍ରମାଣ ମିଳିଥିଲା।

ଏହାସହ ବେଆଇନ ଆର୍ଥିକ କାରବାର ନେଇ ଝରିଗାଁ ବନପାଳ ଗତ ଅଗଷ୍ଟ ୩୧ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ସଂବେଦନଶୀଳ ଘଟଣାରେ DFO ଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ଫରେଷ୍ଟର ହରିଜନଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ସେ ଦେଇଥିବା ଉତ୍ତର ସନ୍ତୋଷଜନକ ନଥିବା ବେଳେ ତାଙ୍କର ଗୁରୁତର ଅନିୟମିତତା ପ୍ରମାଣିତ ହୋଇଥିଲା।

ଏହାପରେ O.C.S. (C.C.A) ନିୟମାବଳୀ, ୧୯୬୨ ର ନିୟମ ୧୨ ର ଉପ-ନିୟମ (୧) ର ଧାରା (a) ଅନୁଯାୟୀ ସେପ୍ଟେମ୍ବର ୧୮ ତାରିଖ ଅପରାହ୍ନରୁ ତାଙ୍କୁ ସସପେଣ୍ଡ କରାଯାଇଛି।

ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚାର୍ଜଫ୍ରେମ୍ ପ୍ରକ୍ରିୟା ଜାରି ଥିବା ବେଳେ, ନିଲମ୍ବନ ସମୟରେ ତାଙ୍କର ହେଡକ୍ୱାଟର ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଧାରଣ କରାଯାଇଛି। ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ହେଡକ୍ୱାଟର ଛାଡ଼ି ପାରିବେ ନାହିଁ ଏବଂ ଓଡ଼ିଶା ସର୍ଭିସ କୋଡ୍‌ର ରୁଲ୍ ୯୦ ଅନୁଯାୟୀ ସେ ଖୋରାକି ଭତ୍ତା ପାଇବାକୁ ହକ୍‌ଦାର ହେବେ।