ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର କ୍ରିକେଟର ସୁଭଦ୍ରା ମାଝୀ ନିଜର କଠିନ ପରିଶ୍ରମ, ନିଷ୍ଠା ଓ କ୍ରିକେଟ ପ୍ରତି ଥିବା ଅସୀମ ଆଗ୍ରହ ବଳରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସୁଭଦ୍ରା ଏବେ ଦ୍ରୁତ ବୋଲର ଭାବରେ ଓଡ଼ିଶା ୧୯ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କର ଏହି ଗୌରବମୟ ସଫଳତା ପରେ ଭୁବନ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି।
ସୁଭଦ୍ରା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ଗାଁର ଚାଷୀ କେଶରୀ ମାଝୀ ଓ ଅଲିଭା ମାଝୀଙ୍କ ବଡ଼ ଝିଅ। ଏକ ସାଧାରଣ ଚାଷୀ ପରିବାରରୁ ଆସିଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ଅନେକ ସମସ୍ୟା ଓ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା।
ଗ୍ରାମାଞ୍ଚଳରେ ଖେଳ ସୁବିଧା ଓ ସାଧନର ଅଭାବ ସତ୍ତ୍ୱେ, ସୁଭଦ୍ରା ନିଜ ସ୍ୱପ୍ନକୁ ଆଗେଇ ନେଇଥିଲେ। ନିଜର ନିରବଚ୍ଛିନ୍ନ ସାଧନା ଏବଂ ନିୟମିତ ଅଭ୍ୟାସ ବଳରେ ସେ ନିଜ ବୋଲିଂ ଧାରକୁ ଆହୁରି ମଜବୁତ୍ କରି ରାଜ୍ୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସୁଭଦ୍ରା ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଗାଁ ବାଉଁଶକଣ ଓ ଭୁବନ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ଥାନୀୟ ବାସିନ୍ଦା, କ୍ରୀଡ଼ାପ୍ରେମୀ ଓ ପରିବାରବର୍ଗ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି।
ଏକ ସାଧାରଣ ଗ୍ରାମୀଣ ପୃଷ୍ଠଭୂମିରୁ ଆସି ରାଜ୍ୟ ଦଳରେ ସ୍ଥାନ ପାଇବା ଅଞ୍ଚଳର ଅନ୍ୟ ଯୁବ ପ୍ରତିଭା, ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଁଥିବା ଝିଅମାନଙ୍କ ପାଇଁ ବଡ଼ ପ୍ରେରଣା ସାଜିବ। ଆଗାମୀ BCCI ଜାତୀୟ ୧୯ ବର୍ଷରୁ କମ୍ ଗୃହୋଇ ବୋଲିଂ ଚାମ୍ପିଅନସିପ୍ରେ ସୁଭଦ୍ରା ଓଡ଼ିଶା ଦଳର ପ୍ରତିନିଧିତ୍ୱ କରି ମୈଦାନକୁ ଓହ୍ଲାଇବେ।




