ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତ ଏବଂ ପରେ ଗଭୀର ଅବପାତ ର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରିସ୍ଥ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହି ସୃଷ୍ଟ ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ସଂଘଠିତ ଓ ଘନୀଭୂତ ହେବ।

ପାଣିପାଗ ବିଭାଗ ଅନୁମାନ କରିଛି ଯେ, ଏହି ସିଷ୍ଟମ୍‌ଟି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଏକ ଅବପାତ ରେ ପରିଣତ ହେବ। ଏହାପରେ ଆହୁରି ଶକ୍ତିଶାଳୀ ହୋଇ ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ଗଭୀର ଅବପାତର ରୂପ ନେବ।

ଗଭୀର ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ନିଜର ଗତି ଜାରି ରଖି ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ବହୁ ସମ୍ଭାବନା ରହିଛି।

ଏହି ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ସେପ୍ଟେମ୍ବର ୨୨ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗ ଏହି ସମ୍ପୂର୍ଣ୍ଣ ସିଷ୍ଟମ୍‌ ଉପରେ କ୍ରମାଗତ ଓ ସୂକ୍ଷ୍ମ ନଜର ରଖିଛି ଏବଂ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।