ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୯ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ସେପ୍ଟେମ୍ବର ୨୧ରେ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ।
୨୨ରୁ ବଢ଼ିବ ବର୍ଷା
ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସେପ୍ଟେମ୍ବର ୨୩ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ।
କୋରାପୁଟ ଓ ମାଲକାନଗିରିରେ ସେପ୍ଟେମ୍ବର ୨୩ରେ ଭାରୀରୁ ଅତିଭାରୀ ବର୍ଷା ହୋଇପାରେ। ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ୨୪ ତାରିଖରେ ମଧ୍ୟ ଭାରୀରୁ ଅତିଭାରୀ ବର୍ଷାର ଆଶଙ୍କା ରହିଛି।
ଉପକୂଳରେ ପବନ, ସମୁଦ୍ର ଅଶାନ୍ତ
ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫-୫୫ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୫ କିମି ପର୍ଯ୍ୟନ୍ତ ହୋଇପାରେ। ସମୁଦ୍ର ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।
ତେବେ ଏହି ପାଣିପାଗ ପ୍ରଣାଳୀ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ କି ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା IMD ପକ୍ଷରୁ କୌଣସି ନିଶ୍ଚିତ ପୂର୍ବାନୁମାନ ଦିଆଯାଇନାହିଁ। ପ୍ରଣାଳୀର ଗତି ଓ ତୀବ୍ରତା ଉପରେ ନଜର ରଖାଯାଇଛି।




