ସମ୍ବଲପୁର: ରାଜ୍ୟରେ ଚାଲିଥିବା ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅଧୀନରେ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ରବିବାର ପ୍ରତ୍ୟୂଷରେ ପୋଲିସ ଏବଂ ନିଶା କାରବାରୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଏନ୍କାଉଣ୍ଟରରେ ଜଣେ କୋଡିନ୍ କଫ୍ ସିରପ୍ ଚୋରାଚାଲାଣକାରୀ ଗୁରୁତର ଆହତ ହୋଇଛନ୍ତି।
ଆହତ ଅଭିଯୁକ୍ତଙ୍କ ନାମ ପ୍ରୀତମ୍ ବୋଲି ଚିହ୍ନଟ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, କଟକରୁ କାତରବଗା-ଠେଲକୋଲୋଇ ଦେଇ ଜଙ୍ଗଲ ରସ୍ତାରେ ଦୁଇଟି କାର୍ରେ ବିପୁଳ ପରିମାଣର କୋଡିନ୍ ମିଶ୍ରିତ କଫ୍ ସିରପ୍ ଚୋରାଚାଲାଣ ହେଉଥିବା ନେଇ ଗୁପ୍ତ ସୂଚନା ମିଳିଥିଲା।
ସୂଚନା ଆଧାରରେ ରେଙ୍ଗାଲି ଥାନା ପୋଲିସ ଟିମ୍ ଜଙ୍ଗଲା-ପାଣ୍ଡୋଲୋଇ ରାସ୍ତାରେ ପାଟ୍ରୋଲିଂ ଓ ଯାଞ୍ଚ କରୁଥିବା ବେଳେ ଭୋର ପ୍ରାୟ ୬:୧୫ ମିନିଟ୍ରେ ଜଙ୍ଗଲା ଗାଁ ନିକଟରେ ଏହି ଘଟଣା ଘଟିଥିଲା।
ପୋଲିସ ପ୍ରଥମେ ଗୋଟିଏ କାର୍କୁ ଅଟକାଇ ଚାଳକକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଜଙ୍ଗଲ ଆଡ଼କୁ ଫେରାର୍ ହୋଇଯାଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ନମ୍ବର ପ୍ଲେଟ୍ ନଥିବା ଅନ୍ୟ ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯାଇଥିଲା।
ପୋଲିସ ସମ୍ପୃକ୍ତ ଗାଡ଼ି ନିକଟକୁ ଯିବା ସମୟରେ, ଗାଡ଼ି ଚାଳକ ପ୍ରୀତମ୍ ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳିଚାଳନା କରିଥିଲା। ପୋଲିସର ପାଲଟା ଗୁଳିଚାଳନାରେ ପ୍ରୀତମଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ।
ପୋଲିସ ଘଟଣାସ୍ଥଳରୁ ଆହତ ଅଭିଯୁକ୍ତଙ୍କୁ କାବୁ କରିବା ସହ ତାଙ୍କ ପାଖରୁ ବିପୁଳ ପରିମାଣର କୋଡିନ୍ କଫ୍ ସିରପ୍, ଗୋଟିଏ ଦେଶୀ ପିସ୍ତୋଲ ଏବଂ ଦୁଇଟି କାର୍ ଜବତ କରିଛି। ଆହତ ଗୁରୁତର ଅଭିଯୁକ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।




