ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଖୀରକୁ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ, ଯେଉଁଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ସୋଡିୟମ୍ ଏବଂ ଭିଟାମିନ୍ ଭଳି ଅନେକ ଆବଶ୍ୟକୀୟ ପୋଷକ ତତ୍ତ୍ୱ ରହିଥାଏ। ତେବେ ଶରୀରକୁ ସୁସ୍ଥ ରଖିବା ସହିତ ଗାଈର କଞ୍ଚା ଖୀର ତ୍ୱଚାର ଅନେକ ସମସ୍ୟାକୁ ଦୂର କରିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ। ବଜାରରେ ମିଳୁଥିବା ମହଙ୍ଗା ବିୟୁଟି ପ୍ରୋଡକ୍ଟ ବଦଳରେ କଞ୍ଚା ଖୀରକୁ ପ୍ରାକୃତିକ ସ୍କିନ୍ କେୟାର ଭାବେ ବ୍ୟବହାର କରାଯାଇପାରିବ।
ତ୍ୱଚାର ଆର୍ଦ୍ରତା ବଜାୟ ରଖେ
ତ୍ୱଚାରେ ଆର୍ଦ୍ରତା ବା ମୋଇଶ୍ଚରାଇଜରର ଅଭାବ ହେଲେ ମୁହଁରେ ଶୁଷ୍କତା ଓ ଫାଟ ଦେଖାଦିଏ। ଗାଈର କଞ୍ଚା ଖୀରକୁ ମୁହଁରେ ହାଲୁକା ମାଲିସ୍ କରିବା ଦ୍ୱାରା ତ୍ୱଚା କୋମଳ ହେବା ସହ ଏହାର ପ୍ରାକୃତିକ ଗ୍ଲୋ ବା ଉଜ୍ଜ୍ୱଳତା ଫେରିଆସିଥାଏ।
ଦାଗ ଦୂର କରେ
ଗାଈ ଖୀରରେ ଲ୍ୟାକ୍ଟିକ୍ ଏସିଡ୍ ଏବଂ ଆବଶ୍ୟକୀୟ ଫ୍ୟାଟ୍ ରହିଥାଏ, ଯାହା ମୁହଁର କଳା ଦାଗ ଓ ଚିହ୍ନକୁ ଦୂର କରିବାରେ ସାହାଯ୍ୟ କରେ। କଞ୍ଚା ଖୀରକୁ ହାଲୁକା ହାତରେ ମୁହଁରେ ମାଲିସ୍ କଲେ କଳା ଦାଗ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ।
ବୟସ୍କତା ଓ ଝୁରିପଡ଼ିବା ସମସ୍ୟାରୁ ନିସ୍ତାର
ମାନସିକ ଚାପ ଓ ପ୍ରଦୂଷଣ ଯୋଗୁଁ ଅନେକ ସମୟରେ ତ୍ୱଚାର ସୋଜିଲାପଣ କମିଯାଏ ଏବଂ ତ୍ୱଚା ଝୁଲିପଡ଼େ। ଖୀରରେ ‘ରେଟିନୋଲ୍’ (Retinol) ବା ଭିଟାମିନ୍-ଏ ରହିଥାଏ, ଯାହା ବୟସ ବୃଦ୍ଧିର ଲକ୍ଷଣକୁ ରୋକିଥାଏ। କଞ୍ଚା ଖୀର ମାଲିସ୍ କରିବା ଦ୍ୱାରା ତ୍ୱଚାରେ କସାବ୍ ବା ଟାଇଟନେସ୍ ଆସିଥାଏ।
ଡାର୍କ ସର୍କଲ ସମସ୍ୟାରୁ ରାହାତ
ଆଖି ତଳେ ଥିବା କଳା ଦାଗ ବା ଡାର୍କ ସର୍କଲକୁ କମ୍ କରିବାରେ ଖୀରରେ ଥିବା ଲ୍ୟାକ୍ଟିକ୍ ଏସିଡ୍ ସାହାଯ୍ୟ କରେ। ତୁଳା ସାହାଯ୍ୟରେ କଞ୍ଚା ଖୀରକୁ ଆଖି ତଳେ ଲଗାଇବା ଦ୍ୱାରା ଡାର୍କ ସର୍କଲ ଦୂର ହେବା ସହ ଆଖି ଆକର୍ଷଣୀୟ ଦେଖାଯାଏ।
ଟ୍ୟାନିଂ ସମସ୍ୟା ଦୂର କରେ
ଖରାରେ ଅଧିକ ସମୟ ରହିବା ଦ୍ୱାରା ତ୍ୱଚାରେ ସନ୍-ଟ୍ୟାନିଂ ସମସ୍ୟା ଦେଖାଦିଏ। ପ୍ରଭାବିତ ସ୍ଥାନରେ ତୁଳା ମାଧ୍ୟମରେ କଞ୍ଚା ଖୀର ଲଗାଇବା ଦ୍ୱାରା ଟ୍ୟାନିଂ ସହଜରେ ଦୂର ହୋଇଥାଏ।




