ଭୁବନେଶ୍ୱର: ଭୁବନେଶ୍ୱରର ବିଦାୟୀ ପୋଲିସ୍ ଉପ-ଆୟୁକ୍ତ ଜଗମୋହନ ମୀନାଙ୍କୁ ଶନିବାର କମିଶନରେଟ୍ ପୋଲିସ ପକ୍ଷରୁ ଏକ ସମ୍ବର୍ଦ୍ଧନା ଓ ଭାବପୂର୍ଣ୍ଣ ବିଦାୟ ସମାରୋହ ଆୟୋଜିତ ହୋଇଯାଇଛି। ୨୦୧୩ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ନିଜ ପଦବୀରୁ ଇସ୍ତଫା ଦେବା ପରେ ଏହି ବିଦାୟୀ ସଭାର ଆୟୋଜନ କରାଯାଇଥିଲା।

ଏହି ବିଦାୟୀ କାର୍ଯ୍ୟକ୍ରମରେ ପୋଲିସ କମିଶନର ଦେବଦତ୍ତ ସିଂହ, ଅତିରିକ୍ତ କମିଶନର ନରସିଂହ ଭୋଳ, କଟକ ଡିସିପି ଋଷିକେଶ ଜ୍ଞାନଦେବ ଖିଲାରୀଙ୍କ ସମେତ କମିଶନରେଟ୍ ପୋଲିସର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଜଗମୋହନ ମୀନାଙ୍କ କାର୍ଯ୍ୟକାଳ ଓ ନେତୃତ୍ୱକୁ ପ୍ରଶଂସା କରିଥିଲେ।

ସୋସିଆଲ ମିଡିଆ ‘X’ରେ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରର ଡିସିପି ଭାବେ ଜଗମୋହନ ମୀନାଙ୍କ ଦକ୍ଷ ନେତୃତ୍ୱ, ନିରବଚ୍ଛିନ୍ନ ସେବା ଓ ନିଷ୍ଠା ଅତ୍ୟନ୍ତ ପ୍ରଶଂସନୀୟ। ରାଜଧାନୀରେ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବାରେ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୧୧ ତାରିଖରୁ ଏହି ଇସ୍ତଫା ପ୍ରଭାବୀ ହୋଇଛି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ଦର୍ଶାଇ ନିଜର ଗୋପନୀୟତା ପ୍ରତି ସମ୍ମାନ ଦେବାକୁ ମୀନା ଅନୁରୋଧ କରିଛନ୍ତି।