ଢାକା: ପଡ଼ୋଶୀ ଦେଶ ବାଂଲାଦେଶରେ ଶିଶୁଙ୍କ ପ୍ରତି ହିଂସା ଓ ଅପରାଧ ଦିନକୁ ଦିନ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ଅପହରଣ, ଦୁଷ୍କର୍ମ, ଶାରୀରିକ ନିର୍ଯାତନା ଏବଂ ପାରିବାରିକ ହିଂସା ଭଳି ଘଟଣାରେ ଅତି କମ୍ ରେ ୧୫୫ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶବ୍ୟାପୀ ୧୫ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ନେଇ ମାନବାଧିକାର ସଂଗଠନ ଓ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି।
ମାନବାଧିକାର ସଂଗଠନ ‘ଆଇନ୍ ଓ ସାଲିଶ୍ କେନ୍ଦ୍ର’ର ଭୟାନକ ରିପୋର୍ଟ
ଢାକାସ୍ଥିତ ମାନବାଧିକାର ସଂଗଠନ ଆଇନ୍ ଓ ସାଲିଶ୍ କେନ୍ଦ୍ର (ASK) ର ତଥ୍ୟ ଅନୁଯାୟୀ, ବର୍ଷର ପ୍ରଥମ ୮ ମାସରେ ନିଖୋଜ ହୋଇଥିବା ୩୬ ଜଣ ଶିଶୁଙ୍କ ମୃତଦେହ ମିଳିଛି।
ଶାରୀରିକ ନିର୍ଯାତନା ଯୋଗୁଁ ୬୮ ଜଣ ଏବଂ ପାରିବାରିକ ହିଂସାରେ ୪୯ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଦୁଷ୍କର୍ମ ପରେ ୨୬ ଜଣ ଶିଶୁଙ୍କୁ ହତ୍ୟା କରାଯାଇଛି। ଏହା ବ୍ୟତୀତ ଦୁଷ୍କର୍ମ ଉଦ୍ୟମରେ ୪ ଜଣ, ଗୁଳିମାଡ଼ରେ ୩ ଜଣ, ନିର୍ଯାତନାରେ ୨ ଜଣ ଗୃହପରିଚାରିକା ଶିଶୁ ଏବଂ ଅପହରଣ ଯୋଗୁଁ ଅନ୍ୟ ଶିଶୁଙ୍କ ଜୀବନ ଯାଇଛି। ଏହି ସମୟ ମଧ୍ୟରେ ୯୯ଟି ଆତ୍ମହତ୍ୟା, ରହସ୍ୟଜନକ ମୃତ୍ୟୁ ଏବଂ ମୃତଦେହ ଉଦ୍ଧାର ମାମଲା ମଧ୍ୟ ନଥିଭୁକ୍ତ ହୋଇଛି।
ନିକଟରେ ପାବନା ସଦରରେ ସେପ୍ଟେମ୍ବର ୯ ରୁ ନିଖୋଜ ଥିବା ଜଣେ ୧୦ ବର୍ଷର ଶିଶୁର ମୃତଦେହ ୭ ଦିନ ପରେ ଏକ ନାଳରୁ ମିଳିଥିଲା। ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ କହିଛି। ସେହିପରି ମଦାରଗଞ୍ଜରେ ଜଣେ ୭ ବର୍ଷର ଶିଶୁକୁ ତାର ସହପାଠୀର ବାପା ଦୁଷ୍କର୍ମ କରି ହତ୍ୟା କରିବା ପରେ ଘର ଚଟାଣ ତଳେ ପୋତି ଦେଇଥିବା ଘଟଣା ସାମ୍ନାକୁ ଆସିଛି।
ବାଂଲାଦେଶ ପୋଲିସ ମୁଖ୍ୟାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଥମ ୭ ମାସରେ ମୋଟ ୧୫,୭୧୭ ଜଣ ଶିଶୁ ନିଖୋଜ ହୋଇଥିଲେ। ପୋଲିସ ୧୩,୬୭୯ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଏବେ ବି ୨,୦୩୮ ଜଣ ଶିଶୁ (ପ୍ରାୟ ୧୩ ପ୍ରତିଶତ) ନିଖୋଜ ଅଛନ୍ତି। ପରିଚିତ ଲୋକଙ୍କ ଦ୍ୱାରା ଶିଶୁମାନେ ଅଧିକ ଶିକାର ହେଉଥିବାରୁ ଏହା ସାଧାରଣରେ ଗଭୀର ଆଶଙ୍କା ସୃଷ୍ଟି କରିଛି।




