ମସ୍କୋ: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥିତ ‘ୟୁନାଇଟେଡ୍ ରୁଷିଆ’ ଦଳ ବଡ଼ ବିଜୟ ହାସଲ କରିଛି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଦଳ ୫୭.୮୩% ଭୋଟ୍ ପାଇଥିବାବେଳେ ରାଷ୍ଟ୍ରୀୟ ସଂସଦ ‘ଷ୍ଟେଟ୍ ଡୁମା’ର ୪୫୦ଟି ଆସନ ମଧ୍ୟରୁ ୩୫୫ଟି ଆସନ ଦଖଲ କରିବାକୁ ଯାଉଛି। ଏହା ଦଳର ସଂସଦୀୟ ନିର୍ବାଚନ ଇତିହାସରେ ସର୍ବାଧିକ ଆସନ ସଂଖ୍ୟା ବୋଲି ରୁଷିଆର କେନ୍ଦ୍ରୀୟ ନିର୍ବାଚନ କମିଶନର ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି।
୩୫୫ ଆସନ ଦଖଲ ଦିଗରେ
୯୫%ରୁ ଅଧିକ ଭୋଟ୍ ଗଣତି ପରେ United Russia ୫୭.୮୩% ଭୋଟ୍ ପାଇଛି। ଦଳୀୟ ତାଲିକାରୁ ୧୪୭ଟି ଆସନ ଏବଂ ୨୨୫ଟି ଏକକ ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦୮ଟିରେ ଦଳର ପ୍ରାର୍ଥୀ ଆଗୁଆ ଥିବା ନିର୍ବାଚନ କମିଶନ ତଥ୍ୟରୁ ଜଣାପଡ଼ିଛି।
୨୦୧୬ ନିର୍ବାଚନରେ United Russia ୩୪୩ଟି ଆସନ ଜିତିଥିଲା। ଚଳିତ ନିର୍ବାଚନରେ ୩୫୫ ଆସନ ମିଳିଲେ ଏହା ଦଳର ପୂର୍ବ ରେକର୍ଡକୁ ଅତିକ୍ରମ କରିବ।
୨୦୨୧ ତୁଳନାରେ ବଢ଼ିଲା ଭୋଟ୍ ପ୍ରତିଶତ
୨୦୨୧ ଷ୍ଟେଟ୍ ଡୁମା ନିର୍ବାଚନରେ United Russia ୪୯.୮୨% ଭୋଟ୍ ପାଇଥିଲା। ଚଳିତ ଥର ପ୍ରାରମ୍ଭିକ ଫଳାଫଳରେ ଦଳର ଭୋଟ୍ ପ୍ରତିଶତ ୫୭.୮୩% ରହିଛି।
ଅନ୍ୟପକ୍ଷରେ, କମ୍ୟୁନିଷ୍ଟ ପାର୍ଟି ପ୍ରାୟ ୧୩.୮% ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ଏବଂ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ପ୍ରାୟ ୯% ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛି।
ଯୁଦ୍ଧ ପରେ ପ୍ରଥମ ସଂସଦୀୟ ନିର୍ବାଚନ
୨୦୨୨ରେ ୟୁକ୍ରେନ୍ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆରମ୍ଭ ହେବା ପରେ ଏହା ରୁଷିଆର ପ୍ରଥମ ଷ୍ଟେଟ୍ ଡୁମା ନିର୍ବାଚନ। ତିନି ଦିନ ଧରି ଚାଲିଥିବା ମତଦାନ ସେପ୍ଟେମ୍ବର ୨୦ରେ ଶେଷ ହୋଇଥିଲା।
ନିର୍ବାଚନ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳ ଓ କିଛି ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ଆପତ୍ତି ଉଠିଛି। ଏହା ସହିତ ନିର୍ବାଚନ ସମୟରେ ସାଇବର ଆକ୍ରମଣ ଏବଂ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ନେଇ ମଧ୍ୟ ରୁଷିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।




