ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ (ମୌସୁମୀ ଅଧିବେଶନ) ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଆଜି (ସେପ୍ଟେମ୍ବର ୨୨) ରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଅଧିବେଶନ କାଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବାର କାର୍ଯ୍ୟସୂଚୀ ରହିଛି।
ଗୃହର କାର୍ଯ୍ୟକାରିତାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଗତକାଲି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଅଳ୍ପ କେଇଦିନର ଏହି ଅଧିବେଶନ ବେଶ୍ ସର୍ଗରମ୍ ହେବା ନେଇ ଆଶଙ୍କା କରାଯାଉଛି। ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ନେଇ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
- MMDR ସଂଶୋଧନ ଆଇନ, ୨୦୨୬: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬’ (MMDR Amendment Act) ବିରୋଧରେ ବିଧାନସଭାରେ ସ୍ୱତନ୍ତ୍ର ସଙ୍କଳ୍ପ ପାରିତ କରିବାକୁ ଦାବି କରିଛନ୍ତି। ଏହି ଆଇନ ଓଡ଼ିଶାର ଖଣିଜ ସମ୍ପଦ ଉପରେ କର ଆଦାୟ କରିବାର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଥିବା ବିଜେଡି ଅଭିଯୋଗ କରିଛି।
- ପାଠ୍ୟପୁସ୍ତକ ତ୍ରୁଟି: ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ଓ ଭୁଲ୍ ସୂଚନା ପ୍ରସଙ୍ଗକୁ ମଧ୍ୟ ବିରୋଧୀ ଦଳ ଗୃହରେ ଜୋରଦାର ଉଠାଇବେ।
ଗୃହରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଶାସକ ଦଳ ପକ୍ଷରୁ କୁହାଯାଇଛି।




