ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛିଡ଼ା ହୋଇଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ପଛରେ ଏକ ଡିଜେ ଗାଡ଼ି ପିଟିହୋଇ ଯିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍ ରେ ୧୦ ଜଣ ଗୁରୁତର ଆ his ହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସୋନପୁରର ‘ମା’ ମେଟାକାଣୀ ମ୍ୟୁଜିକ୍ ପାର୍ଟି’ର ପ୍ରାୟ ୩୦ ଜଣ ସଦସ୍ୟ କେନ୍ଦୁଝର ଜିଲ୍ଲାର ସୁଆକାଠି ଅଞ୍ଚଳରେ କାର୍ଯ୍ୟକ୍ରମ ସାରି ଡିଜେ ଗାଡ଼ିରେ ସୋନପୁରର ଇଚ୍ଛାପୁରକୁ ଫେରୁଥିଲେ। ଜମନକିରା ବାଇପାସ୍ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଲୁହାପଥର ବୋଝେଇ ଟ୍ରକ୍କୁ ଡିଜେ ଗାଡ଼ିଟି ପଛପଟୁ ସଜୋରରେ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକ ଜଣକ ସୋନପୁର ଇଚ୍ଛାପୁର ଅଞ୍ଚଳର ଅଭି ସାମନୀ ବୋଲି ପରିଚୟ ମିଳିଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜମନକିରା ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତମାନଙ୍କୁ ଉଦ୍ଧାର କରିଥିଲେ। ଆହାତମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଜମନକିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତେବେ କେତେକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ କୁଚିଣ୍ଡା ଏବଂ ବୁର୍ଲା ଭୀମସାର (VIMSAR) ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦ୍ୱୟକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।




