ଭୁବନେଶ୍ୱର: ଓଡ଼ିଶା ବିଧାନସଭା ମାନସୁନ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ହଙ୍ଗାମା ଜାରି ରହିଛି। ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ବିଧାୟକଙ୍କ ପ୍ରବଳ ପାଟିତୁଣ୍ଡ ଓ ନାରାବାଜି ଯୋଗୁଁ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସଂଶୋଧିତ ଏମଏମଡିଆର (MMDR) ଆକ୍ଟ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା କଥିତ ତ୍ରୁଟିକୁ ନେଇ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିବାରୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଅଧିବେଶନର ଦ୍ୱିତୀୟ ଦିନ ପୂର୍ବାହ୍ନରେ ଯେପରି ପ୍ରଶ୍ନକାଳ କାର୍ଯ୍ୟସୂଚୀ ଆରମ୍ଭ ହୋଇଥିଲା, କଂଗ୍ରେସ ଏବଂ ବିଜେଡିର ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ (Well) ଚାଲିଆସିଥିଲେ। ସଂଶୋଧିତ ଖଣି ଓ ଖନିଜ (ବିକାଶ ଓ ନିୟନ୍ତ୍ରଣ) ଅଧିନିୟମ ବା MMDR ଆକ୍ଟକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ବିରୋଧୀ ନାରାବାଜି କରିଥିଲେ।
ଏହାସହ ବିଜେଡି ବିଧାୟକମାନେ ସ୍କୁଲ ପାଠ୍ୟପୁସ୍ତକରେ ରହିଥିବା ଗୁରୁତର ତ୍ରୁଟି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଦାବି କରିଥିଲେ।
ବିରୋଧୀ ବିଧାୟକଙ୍କ କ୍ରମାଗତ ପାଟିତୁଣ୍ଡ, ନାରାବାଜି ଏବଂ ପ୍ଲାକାର୍ଡ ପ୍ରଦର୍ଶନ ମଧ୍ୟରେ ଗୃହର ସ୍ୱାଭାବିକ କାର୍ଯ୍ୟ ପରିଚାଳନା କରିବା ଅସମ୍ଭବ ହୋଇପଡ଼ିଥିଲା। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଆନ୍ଦୋଳନରତ ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରିବାକୁ ଏବଂ ଗୃହ କାର୍ଯ୍ୟ ଚାଲୁରଖିବାରେ ସହଯୋଗ କରିବାକୁ ବାରମ୍ବାର ନିବେଦନ କରିଥିଲେ।
ତେବେ ବିରୋଧୀମାନେ ନିଜ ଦାବିରେ ଅଡ଼ି ବସି ହଙ୍ଗାମା ଜାରି ରଖିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।




