ପାରଳାଖେମୁଣ୍ଡି: ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲି ମଣ୍ଡଳ ଅନ୍ତର୍ଗତ ରବିଭଲସା ନିକଟରେ ବୁଧବାର ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ବିଶାଖା ରାଓ, ଦିଲୀପ, ଶରତ ଓ ଶିବା ବୋଲି ଚିହ୍ନଟ ହୋଇଛନ୍ତି। ଆହତ ଯୁବକଙ୍କ ନାମ ସଲମନ ରାଜୁ।

ମାଛ ଧରି ଫେରୁଥିବା ବେଳେ ଦୁର୍ଘଟଣା

ପ୍ରାଥମିକ ସୂଚନା ଅନୁସାରେ, ମୃତାହତ ସମସ୍ତେ ଟେକ୍କାଲି ମଣ୍ଡଳର ଡାମାରୁ ଗାଁର ବାସିନ୍ଦା ଏବଂ ସ୍ଥାନୀୟ ସରକାରୀ ଏସ୍‌ସି/ଏସ୍‌ଟି ଛାତ୍ରାବାସରେ ରହି ପଢ଼ୁଥିଲେ। ବୁଧବାର ସେମାନେ ନିକଟସ୍ଥ ପୋଖରୀକୁ ମାଛ ଧରିବାକୁ ଯାଇଥିଲେ। ଫେରିବା ସମୟରେ ରେଳ ଧାରଣା ନିକଟରେ ଏହି ଅଘଟଣ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି।

୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

ବେରହମପୁରରୁ ଗୁଣୁପୁର ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍‌ ୫ ଜଣଙ୍କୁ ଧକ୍କା ଦେଇଥିଲା। ଏଥିରେ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସଲମନ ରାଜୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଟେକ୍କାଲି ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି।

ତଦନ୍ତ ଆରମ୍ଭ

ଖବର ପାଇ ପୁଲିସ, ରେଳବାଇ ଅଧିକାରୀ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣାର ପ୍ରକୃତ ପରିସ୍ଥିତି ଏବଂ ଯୁବକମାନେ କିପରି ରେଳ ଧାରଣା ନିକଟକୁ ଆସିଥିଲେ, ସେନେଇ ତଦନ୍ତ ଚାଲିଛି।