ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଓ ନିର୍ବାଚନ କମିଶନର (EC) ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ମାମଲାରେ ବୁଧବାର ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ମତଭେଦ ଦେଖାଦେଇଛି। ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍‌ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ବିଚାରାଧୀନ ମାମଲାକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଯିବ କି ନାହିଁ, ସେନେଇ ଭିନ୍ନ ମତ ଦେଇଛନ୍ତି। ତେବେ ଉଭୟ ବିଚାରପତି ମାମଲାଟିକୁ ଉପଯୁକ୍ତ ଶକ୍ତିର ସମ୍ବିଧାନ ପୀଠରେ ବିଚାର ପାଇଁ CJIଙ୍କ ନିକଟକୁ ପଠାଇବାକୁ ଏକମତ ହୋଇଛନ୍ତି।

କ’ଣ ରହିଛି ୨୦୨୩ ଆଇନରେ?

୨୦୨୩ର ‘Chief Election Commissioner and Other Election Commissioners (Appointment, Conditions of Service and Term of Office) Act’ ଅନୁସାରେ CEC ଓ EC ନିଯୁକ୍ତି ପାଇଁ ଗଠିତ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ମନୋନୀତ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରହୁଛନ୍ତି। ଏହି ବ୍ୟବସ୍ଥାରୁ ପ୍ରଧାନ ବିଚାରପତି (CJI)ଙ୍କୁ ବାଦ୍‌ ଦିଆଯାଇଛି।

୨୦୨୩ର ରାୟ ଓ ନୂଆ ଆଇନ

୨୦୨୩ ମାର୍ଚ୍ଚରେ Anoop Baranwal ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ କହିଥିଲେ ଯେ, ସଂସଦ ଏନେଇ ଆଇନ ନ କରିବା ପର୍ଯ୍ୟନ୍ତ CEC ଓ EC ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ, ଲୋକସଭା ବିରୋଧୀ ଦଳ ନେତା ଓ CJIଙ୍କୁ ନେଇ ଚୟନ କମିଟି ରହିବ। ପରେ ସଂସଦ ୨୦୨୩ରେ ନୂଆ ଆଇନ ପ୍ରଣୟନ କରି CJIଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କମିଟିରେ ସାମିଲ କରିଥିଲା।

ଜଷ୍ଟିସ୍‌ ଦତ୍ତ ଓ ଶର୍ମାଙ୍କ ଭିନ୍ନ ମତ

କେନ୍ଦ୍ର ସରକାର ମାମଲାକୁ ୫ ଜଣିଆ ସମ୍ବିଧାନ ପୀଠକୁ ପଠାଇବା ପାଇଁ ଯୁକ୍ତି ରଖିଥିଲେ। କେନ୍ଦ୍ରର ମତ ଥିଲା, ସମ୍ବିଧାନର ଧାରା ୩୨୪ର ବ୍ୟାଖ୍ୟା ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବ୍ୟବସ୍ଥା ନିର୍ଦ୍ଧାରଣ କରିବାରେ ସଂସଦର କ୍ଷମତା ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନିକ ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ଆବେଦନକାରୀମାନେ ଏହି ରେଫରେନ୍ସକୁ ବିରୋଧ କରିଥିଲେ।

ଜଷ୍ଟିସ୍‌ ଦତ୍ତ ବୃହତ୍‌ ପୀଠକୁ ମାମଲା ପଠାଇବାର ଆବଶ୍ୟକତା ନାହିଁ ବୋଲି ମତ ଦେଇଥିବାବେଳେ ଜଷ୍ଟିସ୍‌ ଶର୍ମା ଏହାକୁ ୫ ଜଣିଆ ସମ୍ବିଧାନ ପୀଠରେ ବିଚାର କରାଯିବା ଆବଶ୍ୟକ ବୋଲି କହିଛନ୍ତି। ମାମଲାର ଅନ୍ତିମ ଶୁଣାଣି ପାଇଁ CJI ସୂର୍ଯ୍ୟକାନ୍ତ ଉପଯୁକ୍ତ ସମ୍ବିଧାନ ପୀଠ ଗଠନ କରିବେ।

ଏହି ମାମଲାରେ CEC ଓ EC ନିଯୁକ୍ତି ବ୍ୟବସ୍ଥାର ସାମ୍ବିଧାନିକ ବୈଧତା ସହିତ ନିର୍ବାଚନ କମିଶନର ସ୍ୱାଧୀନତା ସମ୍ପର୍କିତ ପ୍ରଶ୍ନ ମଧ୍ୟ ଉଠିଛି। ତେବେ ଏହି ପ୍ରସଙ୍ଗରେ ଅନ୍ତିମ ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ।