ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ଓଡ଼ିଶାରେ ଧାନ ଚାଷ ଅଞ୍ଚଳ କମିଛି। ୨୦୨୬-୨୭ ଖରିଫ ଋତୁରେ ସେପ୍ଟେମ୍ବର ୧୯ ସୁଦ୍ଧା ରାଜ୍ୟରେ ୩୬.୧୮ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ପ୍ରାଥମିକ ଆକଳନ ହୋଇଛି। ଗତ ଖରିଫ ଋତୁରେ ଏହି ଅଞ୍ଚଳ ୩୯.୪୨ ଲକ୍ଷ ହେକ୍ଟର ଥିଲା। ଅର୍ଥାତ୍ ଏଥର ଧାନ ଚାଷ ଅଞ୍ଚଳ ୩.୨୪ ଲକ୍ଷ ହେକ୍ଟର କମିଛି। ଏହି ତଥ୍ୟ ବୁଧବାର ବିଧାନସଭାରେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଛନ୍ତି।
ମୟୂରଭଞ୍ଜରେ ସର୍ବାଧିକ ଧାନ ଚାଷ
ଜିଲ୍ଲାୱାରୀ ତଥ୍ୟ ଅନୁସାରେ, ମୟୂରଭଞ୍ଜରେ ସର୍ବାଧିକ ୩.୧୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଏହା ପଛକୁ ବରଗଡ଼ରେ ୨.୫୯ ଲକ୍ଷ, ଗଞ୍ଜାମରେ ୨.୧୨ ଲକ୍ଷ, ସୁନ୍ଦରଗଡ଼ରେ ୧.୯୮ ଲକ୍ଷ ଓ ବଲାଙ୍ଗୀରରେ ୧.୮୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି।
୭ ଜିଲ୍ଲାରେ ବଢ଼ିଛି ଧାନ ଚାଷ
ରାଜ୍ୟର ସାମଗ୍ରିକ ଧାନ ଚାଷ ଅଞ୍ଚଳ କମିଥିଲେ ମଧ୍ୟ ୭ଟି ଜିଲ୍ଲାରେ ଏହା ବୃଦ୍ଧି ପାଇଛି। ବରଗଡ଼ ଓ ଖୋର୍ଦ୍ଧାରେ ୦.୧୬ ଲକ୍ଷ ହେକ୍ଟର ଲେଖାଏଁ, ପୁରୀରେ ୦.୧୪ ଲକ୍ଷ, କଟକରେ ୦.୧୩ ଲକ୍ଷ, ନୂଆପଡ଼ାରେ ୦.୦୩ ଲକ୍ଷ, ଜଗତସିଂହପୁରରେ ୦.୦୨ ଲକ୍ଷ ଓ ନୟାଗଡ଼ରେ ୦.୦୨ ଲକ୍ଷ ହେକ୍ଟର ଚାଷ ଅଞ୍ଚଳ ବଢ଼ିଛି।
ଚୂଡ଼ାନ୍ତ ଆକଳନ ପରେ ସ୍ପଷ୍ଟ ହେବ ସ୍ଥିତି
କୃଷିମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଏହା ପ୍ରଥମ ପର୍ଯ୍ୟାୟର ଆକଳନ। ଖରିଫ ଋତୁ ଶେଷ ହେବା ପରେ ଧାନ ଚାଷର ଚୂଡ଼ାନ୍ତ ଅଞ୍ଚଳ ଜଣାପଡ଼ିବ। ତେଣୁ ବର୍ତ୍ତମାନର ୩.୨୪ ଲକ୍ଷ ହେକ୍ଟର ହ୍ରାସ ଚୂଡ଼ାନ୍ତ ଆକଳନ ନୁହେଁ।
ଚଳିତ ବର୍ଷ ଦେଶର ଅନେକ ଅଞ୍ଚଳରେ ଅସମାନ ବର୍ଷା ଯୋଗୁଁ ଧାନ ଚାଷ ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦ୍ରୀୟ ତଥ୍ୟ ଅନୁସାରେ ଅଗଷ୍ଟ ୭ ସୁଦ୍ଧା ସାରା ଦେଶରେ ଧାନ ଚାଷ ଅଞ୍ଚଳ ଗତବର୍ଷ ତୁଳନାରେ ୧୫.୯୦ ଲକ୍ଷ ହେକ୍ଟର କମ୍ ଥିଲା।




