ମାଲକାନଗିରି: ଗଭୀର ଅବପାତ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ପାହାଡ଼ିଆ ଅଞ୍ଚଳରୁ ଭାସି ଆସୁଥିବା ବନ୍ୟାଜଳ ଯୋଗୁଁ ଜିଲ୍ଲାର ପ୍ରମୁଖ ପୋଲଗୁଡ଼ିକ ଜଳମଗ୍ନ ହୋଇପଡ଼ିବା ସହ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ପାହାଡ଼ରୁ ପ୍ରବଳ ବେଗରେ ଖସୁଥିବା ବର୍ଷାଜଳ ଯୋଗୁଁ ପୋଟେରୁ ଏବଂ କାଙ୍କୁରୁକୋଣ୍ଡା ପୋଲ ଉପରେ ୨ ରୁ ୩ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରି, କାଲିମେଳା ଏବଂ ମୋଟୁ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି।
ସେହିପରି କାଲିମେଳା-ପୋଡ଼ିଆ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ପ୍ରାୟ ୩ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ମାର୍ଗରେ ଗାଡ଼ି ଚଳାଚଳ ବନ୍ଦ କରିଦିଆଯାଇଛି।
ଯାତ୍ରୀ ଓ ଯାନବାହନର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜଳମଗ୍ନ ପୋଲଗୁଡ଼ିକ ନିକଟରେ ବିପଦକୁ ଏଡ଼ାଇବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବାରିକେଡ୍ ଲଗାଯାଇଛି। ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ ପଡ଼ୋଶୀ ଛତିଶଗଡ଼ ଆଡ଼କୁ ପରିବର୍ତ୍ତିତ ମାର୍ଗରେ ପଠାଯାଉଛି। ମାଲକାନଗିରିରୁ କାଲିମେଳା, ମୋଟୁ ଏବଂ କାଲିମେଳାରୁ ପୋଡ଼ିଆ ମାର୍ଗରେ ସମସ୍ତ ଗାଡ଼ି ଚଳାଚଳକୁ ସାମୟିକ ଭାବେ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି।
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ନିମ୍ନାଞ୍ଚଳଗୁଡ଼ିକରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।




