ନୂଆଦିଲ୍ଲୀ, ୨୪/୦୯: ନିର୍ବାଚନ ଜିତିବା ପରେ ଗତ ୪ ବର୍ଷ ମଧ୍ୟରେ ଦେଶର ୧୧୧ ଜଣ ବର୍ତ୍ତମାନର ସାଂସଦ ଓ ବିଧାୟକ ଦଳ ବଦଳାଇଥିବା ଜଣାପଡ଼ିଛି। Association for Democratic Reforms (ADR) ଓ National Election Watch ପକ୍ଷରୁ ୨୦୨୨ରୁ ୨୦୨୬ ମଧ୍ୟରେ ଦଳ ବଦଳାଇଥିବା ଜନପ୍ରତିନିଧିଙ୍କ ସତ୍ୟପାଠ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି।
୨୬ ଲୋକସଭା, ୭ ରାଜ୍ୟସଭା ସାଂସଦ
ADR ଅନୁସାରେ, ଦଳ ବଦଳାଇଥିବା ୧୧୧ ଜଣଙ୍କ ମଧ୍ୟରେ ୨୬ ଜଣ ଲୋକସଭା ସାଂସଦ, ୭ ଜଣ ରାଜ୍ୟସଭା ସାଂସଦ ଏବଂ ୭୮ ଜଣ ବିଧାୟକ ଅଛନ୍ତି। ୭୮ ବିଧାୟକଙ୍କ ମଧ୍ୟରୁ ୭୦ ଜଣ ନିର୍ବାଚନ ଜିତିବା ପରେ ସିଧାସଳଖ ଦଳ ବଦଳାଇଥିବାବେଳେ ୮ ଜଣ ଇସ୍ତଫା କିମ୍ବା ଅଯୋଗ୍ୟତା ପରେ ଉପନିର୍ବାଚନ ଜିତି ପୁଣି ବିଧାୟକ ହୋଇଛନ୍ତି।
ନାଗାଲାଣ୍ଡରେ ସର୍ବାଧିକ ଦଳବଦଳ
ରାଜ୍ୟଭିତ୍ତିକ ତଥ୍ୟରେ ନାଗାଲାଣ୍ଡରେ ସର୍ବାଧିକ ୩୨ ଜଣ ଜନପ୍ରତିନିଧି ଦଳ ବଦଳାଇଛନ୍ତି। ଏହା ପରେ ପଶ୍ଚିମବଙ୍ଗରେ ୨୦, ତେଲଙ୍ଗାନାରେ ୯, ଗୋଆରେ ୮, ମେଘାଳୟରେ ୬ ଏବଂ ମଣିପୁରରେ ୫ଟି ମାମଲା ରହିଛି।
ଅରୁଣାଚଳ ପ୍ରଦେଶ ଓ ଗୁଜରାଟରେ ୪-୪, ପଞ୍ଜାବରେ ୨, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ ୨-୨ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ସିକିମ ଓ ଉତ୍ତରପ୍ରଦେଶରେ ଜଣେ ଲେଖାଏଁ ବିଧାୟକ ଦଳ ବଦଳାଇଥିବା ରିପୋର୍ଟରେ କୁହାଯାଇଛି। ଏହାଛଡ଼ା ଦିଲ୍ଲୀରୁ ଜଣେ ରାଜ୍ୟସଭା ସାଂସଦ ଏବଂ ମହାରାଷ୍ଟ୍ରରୁ ୬ ଜଣ ଲୋକସଭା ସାଂସଦ ଦଳ ବଦଳାଇଛନ୍ତି।
NDPPରୁ ସର୍ବାଧିକ ନେତା ଦଳ ଛାଡ଼ିଛନ୍ତି
ADR ତଥ୍ୟ ଅନୁସାରେ, ଦଳ ଛାଡ଼ିଥିବା ଜନପ୍ରତିନିଧିଙ୍କ ମଧ୍ୟରେ NDPPରୁ ୨୫ ଜଣ, AITCରୁ ୨୦ ଜଣ ଏବଂ କଂଗ୍ରେସରୁ ୧୯ ଜଣ ଅଛନ୍ତି। ଏହାପରେ BRSର ୯, AAP ଓ NCPର ୭-୭, ଶିବସେନା (UBT)ର ୬, JD(U)ର ୫ ଏବଂ NPPର ୪ ଜଣ ଜନପ୍ରତିନିଧି ଦଳ ବଦଳାଇଛନ୍ତି।
ଏହି ତିନି ଦଳ—NDPP, AITC ଓ କଂଗ୍ରେସ—ରୁ ଦଳ ବଦଳାଇଥିବା ପ୍ରତିନିଧିଙ୍କ ସଂଖ୍ୟା ୬୪, ଯାହା ମୋଟ ଦଳବଦଳର ପ୍ରାୟ ୫୮ ପ୍ରତିଶତ।
NPF ଓ BJPରେ ଅଧିକ ଯୋଗଦାନ
ଅନ୍ୟ ଦଳରୁ ଆସିଥିବା ଜନପ୍ରତିନିଧିଙ୍କୁ ସାମିଲ କରିବା ମାମଲାରେ NPFରେ ୩୨ ଜଣ ଏବଂ BJPରେ ୨୯ ଜଣ ଯୋଗ ଦେଇଛନ୍ତି। Nationalist Citizens Party of Indiaରେ ୨୦, କଂଗ୍ରେସରେ ୯, ଶିବସେନାରେ ୮, NPPରେ ୬ ଏବଂ PPAରେ ୪ ଜଣ ଯୋଗ ଦେଇଥିବା ADR ରିପୋର୍ଟରେ ଉଲ୍ଲେଖ ରହିଛି।
ADR ଏହି ଦଳବଦଳ ଘଟଣାଗୁଡ଼ିକୁ ନେଇ ଦଳବଦଳ ବିରୋଧୀ ଆଇନର କାର୍ଯ୍ୟକାରିତା, ଅଯୋଗ୍ୟତା ମାମଲାର ନିଷ୍ପତ୍ତିରେ ବିଳମ୍ବ ଏବଂ ରାଜନୈତିକ ଦଳଗୁଡ଼ିକର ଆଭ୍ୟନ୍ତରୀଣ ଗଣତନ୍ତ୍ର ନେଇ ପ୍ରଶ୍ନ ଉଠାଇଛି। ରିପୋର୍ଟରେ ଦଶମ ଅନୁସୂଚୀକୁ ଅଧିକ ସୁଦୃଢ଼ କରିବା ସହ ଦଳବଦଳ ସମ୍ପର୍କିତ ମାମଲାର ସମୟବଦ୍ଧ ନିଷ୍ପତ୍ତି ପାଇଁ ସୁପାରିସ କରାଯାଇଛି।




