ଭଞ୍ଜନଗର, ୨୪/୦୯: ଦକ୍ଷିଣ ଓଡ଼ିଶାରେ ଲଘୁଚାପଜନିତ ଗଭୀର ଅବପାତର ପ୍ରଭାବରେ ଭାରୀ ବର୍ଷା ଜାରି ରହିଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାର ଓ ନଦୀଗୁଡ଼ିକର ଜଳସ୍ତର ବଢ଼ିଛି। ପରିସ୍ଥିତି ଉପରେ ଜଳସମ୍ପଦ ବିଭାଗ ନଜର ରଖିଥିବାବେଳେ ବିଭିନ୍ନ ଜଳଭଣ୍ଡାରରୁ ସତର୍କତାମୂଳକ ଭାବେ ପାଣି ଛଡ଼ାଯାଇଛି।

ବଢ଼ୁଛି ନଦୀ ଜଳସ୍ତର

ଭାରୀ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲା ଦେଇ ପ୍ରବାହିତ ଋଷିକୁଲ୍ୟା, ବଂଶଧାରା, ବଡ଼ନଦୀ ଓ ଲୋହରାଖଣ୍ଡି ନଦୀର ଜଳସ୍ତର ବଢ଼ିଛି। ଆଗକୁ ନଦୀ ଅବବାହିକାରେ ଅଧିକ ବର୍ଷା ହେଲେ ଋଷିକୁଲ୍ୟା ଓ ବଂଶଧାରା ସମେତ ଏହାର ଶାଖାନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଭଞ୍ଜନଗର ସମେତ ବିଭିନ୍ନ ଜଳଭଣ୍ଡାରରୁ ପାଣି ନିଷ୍କାସନ

ଜଳସ୍ତର ବଢ଼ୁଥିବାରୁ ଗତ ଦୁଇ ଦିନ ମଧ୍ୟରେ ଭଞ୍ଜନଗର, ବାଘୁଆ ଓ ଧନେଇ ସମେତ ବିଭିନ୍ନ ଜଳଭଣ୍ଡାରରୁ ସତର୍କତାମୂଳକ ଭାବେ ପାଣି ଛଡ଼ାଯାଇଛି। ବାଘଲାଟି ଡ୍ୟାମ୍‌ର ଜଳସ୍ତର ଆହୁରି ବଢ଼ିଲେ ସେଠାରୁ ମଧ୍ୟ ପାଣି ନିଷ୍କାସନ କରାଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

ଗଞ୍ଜାମରେ ୬୦ ମିମିରୁ ଅଧିକ ବର୍ଷା

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୬୦.୧୨ ମିମି ବର୍ଷା ରେକର୍ଡ ହୋଇଛି। ସାନଖେମୁଣ୍ଡିରେ ସର୍ବାଧିକ ୯୮ ମିମି, ଦିଗପହଣ୍ଡିରେ ୯୫.୫ ମିମି ଓ ଧରାକୋଟରେ ୭୮.୨ ମିମି ବର୍ଷା ହୋଇଛି। ଗଜପତି ଜିଲ୍ଲାରେ ହାରାହାରି ୭୧.୬୪ ମିମି ବର୍ଷା ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୧୨୧.୪ ମିମି ବର୍ଷା ରେକର୍ଡ ହୋଇଛି।

ଭାରତୀୟ ପାଣିପାଗ ବିଭାଗ ଭଞ୍ଜନଗରରେ ଆସନ୍ତା କିଛି ଦିନ ମଧ୍ୟ ମେଘୁଆ ପାଗ ସହ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷାର ସମ୍ଭାବନା ଦର୍ଶାଇଛି।