ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପାଣିପାଗ ପୁଣି ଥରେ ବଦଳିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଶୁକ୍ରବାର ଦିଲ୍ଲୀରେ ଆଂଶିକ ମେଘୁଆ ପାଗ ସହ ଗୁଳୁଗୁଳି ଅନୁଭୂତ ହେବ। ତେବେ ଶନିବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଶୁକ୍ରବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୩ଡ଼ିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଆଖପାଖରେ ରହିବ। ଆର୍ଦ୍ରତା ୬୦ ରୁ ୯୦ ପ୍ରତିଶତ ମଧ୍ୟରେ ରହିବା ଯୋଗୁଁ ପ୍ରବଳ ଗୁଳୁଗୁଳି ହୋଇପାରେ।

ଶନିବାର ଦିଲ୍ଲୀ-ଏନସିଆରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ଘଡ଼ଘଡ଼ି ଏବଂ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।

ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଗଭୀର ଅବପାତ ଦୁର୍ବଳ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ଓ ପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି।

ଓଡ଼ିଶା, ଛତିଶଗଡ଼, ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଉପ-ହିମାଳୟ ପଶ୍ଚିମବଙ୍ଗ, ସିକିମ୍ ଏବଂ ବିଦର୍ଭ ଅଞ୍ଚଳରେ ଅତି ପ୍ରବଳ ବର୍ଷା ପାଇଁ IMD ସତର୍କସୂଚନା ଜାରି କରିଛି।

ଉତ୍ତରାଖଣ୍ଡରେ ଶୁକ୍ରବାର ପାଇଁ ପ୍ରବଳ ବର୍ଷା ଏବଂ ସେପ୍ଟେମ୍ବର ୨୬ ଓ ୨୭ ରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍/ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଏହାଛଡ଼ା ଆସାମ, ମେଘାଳୟ, ବିହାର, ତେଲେଙ୍ଗାନା, ଝାଡ଼ଖଣ୍ଡ, କେରଳ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।